ଆରମ୍ଭ ହେଲା ଆରବିଆଇ ମୁଦ୍ରା ନୀତି କମିଟି ବୈଠକ
ନୂଆଦିଲ୍ଲୀ: ଆଜି ଠାରୁ ଆରମ୍ଭ ହେଲା ଭାରତୀୟ ରିଜର୍ଭ ବ୍ୟାଙ୍କର ସୁଧ ହାର ନିର୍ଦ୍ଧାରଣ କରୁଥିବା ମୁଦ୍ରା ନୀତି କମିଟିର ତିନି ଦିନିଆ ବୈଠକ । ଆରବିଆଇ ଅଧ୍ୟକ୍ଷ ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ମୁଦ୍ରା ନୀତି କମିଟିର ତିନି ଦିନିଆ ବୈଠକରେ ବିଭିନ୍ନ ଘରୋଇ ଏବଂ ବୈଶ୍ୱିକ ସ୍ଥିତି ଉପରେ ଆଲୋଚନା କରାଯିବ । ଏହାପରେ ଆର୍ଥିକ ବର୍ଷ ୨୦୨୩-୨୪ର ପ୍ରଥମ ଦ୍ୱିମାସିକ ନୀତି ଘୋଷଣା କରିବେ ।
ଅନୁମାନ କରାଯାଉଛି ଯେ, ଚଳିତ ଆର୍ଥିକ ବର୍ଷର ପ୍ରଥମ ଦ୍ୱିମାସିକ ସମୀକ୍ଷା ବୈଠକରେ ଏମସିପି ରେପୋ ରେଟରେ ୦.୨୫% ଅଧିକ ବଢାଇବା ଉପରେ ନିଷ୍ପତ୍ତି ନେଇପାରେ । ବିଶେଷଜ୍ଞଙ୍କ କହିବା ଅନୁସାରେ ଏହାପରେ ୨୦୨୨ ମଇରୁ ରେପୋ ରେଟରେ ଜାରି ରହିଥିବା ବୃଦ୍ଧିରେ ବ୍ରେକ୍ ଲାଗିବ ।
ସୂଚନା ଯେ, ଖୁଚୁରା ମୁଦ୍ରାସ୍ଫୀତିକୁ ଧାର୍ଯ୍ୟ ଲକ୍ଷ୍ୟ ଭିତରେ ରଖିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ୨୦୨୨ ମଇରୁ ରେପୋ ରେଟରେ ୨.୫ ପ୍ରତିଶତ ବଢାଇ ସାରିଛନ୍ତି । ଏହାପରେ ବି ମୁଦ୍ରାସ୍ଫୀତି ଅଧିକାଂଶ ମାସରେ ରିଜର୍ଭ ବ୍ୟାଙ୍କର ଛଅ ପ୍ରତିଶତ ସ୍ତର ଉପରେ ହିଁ ରହୁଛି । ମୁଦ୍ରା ନୀତି କମିଟିରେ ଆରବିଆଇର ତିନି ଅଧିକାରୀ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତି ତିନି ଜଣ ବାହାର ସଦସ୍ୟ ରହିଥାନ୍ତି ।