ସୌରାଷ୍ଟ୍ର ପକ୍ଷରୁ ରଣଜୀ ଖେଳିବେ ଜାଡେଜା, ଦେବେ ଫିଟ୍ନେସ୍ ପ୍ରମାଣ
ନୂଆଦିଲ୍ଲୀ : ରଣଜୀ ଖେଳିବେ ଭାରତୀୟ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଡେଜା । ନିଜର ଫିଟ୍ନେସ୍ ପ୍ରମାଣ ଦେବା ଲାଗି ସେ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁଥିବା ତାମିଲନାଡ଼ୁ ବିପକ୍ଷ ଫାଇନାଲ୍ ରାଉଣ୍ଡ ରଣଜୀ ମୁକାବିଲାରେ ସୌରାଷ୍ଟ୍ର ପକ୍ଷରୁ ଖେଳିବେ । ଆସନ୍ତା ମାସରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍ ଲାଗି ୧୭ ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଥିଲା ବେଳେ ସବୁକିଛି ତାଙ୍କ ଫିଟ୍ନେସ୍ ଉପରେ ନିର୍ଭର କରିବ।
ଗତ ୨୦୨୨ ସେପ୍ଟେମ୍ବରରେ ଏସିଆ କପ୍ ବେଳେ ଜାଡେଜାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ସମସ୍ୟା ଜଟିଳ ଥିବାରୁ ତାଙ୍କ ଡାହାଣ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଥିଲା। ଏହାପରେ ସେ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମି (ଏନ୍ସିଏ)ରେ ରିହାବିଲେସନ୍ରେ ରହିଥିଲେ। ସେଠାରେ ସେ ବୋଲିଂ ଓ ବ୍ୟାଟିଂ ଆରମ୍ଭ କରିସାରିଛନ୍ତି। ଏବେ ମ୍ୟାଚ୍ ଫିଟ୍ନେସ୍ ପାଇଁ ରଣଜୀ ଖେଳିବେ। ସୂଚନା ଯେ, ଜାଡେଜା ୨୦୧୭ରୁ ୧୯ ପର୍ଯ୍ୟନ୍ତ ଟେଷ୍ଟ ଖେଳି ୨୧.୪୬ ହାରରେ ୮୨ ୱିକେଟ୍ ଅକ୍ତିଆର କରିଛନ୍ତି। ଏଥିରେ ୩ଟି ୫ ୱିକେଟ୍ ସଫଳତା ରହିଛି। ଏଥିସହ ବ୍ୟାଟିଂରେ ସେ ୫୨.୮୨ ହାରାହାରି ଏବଂ ୨ ଶତକ ଓ ୭ ଅର୍ଦ୍ଧଶତକ ବଳରେ ୮୯୮ ରନ୍ ସଂଗ୍ରହ କରିଛନ୍ତି।