ବଦଳିଲା ରାଷ୍ଟ୍ରପତି ଭବନ ଉଦ୍ୟାନର ନାମ, ମୋଗଲ ଗାର୍ଡେନ ହେଲା ‘ଅମୃତ ଉଦ୍ୟାନ’
ନୂଆଦିଲ୍ଲୀ : ବଦଳିଲା ରାଷ୍ଟ୍ରପତି ଭବନ ଉଦ୍ୟାନର ନାମ । ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନ ବଦଳରେ ଏଣିକି ଏହା ଅମୃତ ଉଦ୍ୟାନରେ ନାମିତ ହେବ । ନୂଆ ନାମକୁ ମିଳିଛି ରାଷ୍ଟ୍ରପତିଙ୍କ ଅନୁମୋଦନ । ନାମ ପରିବର୍ତ୍ତନ ନେଇ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ମିଳିଛି।
ରାଷ୍ଟ୍ରପତି ଭବନରେ ନିର୍ମିତ ଗାର୍ଡେନ ମୋଗଲମାନଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିଲା । ଏଥିରେ ଝରଣା, କେନାଲ, ପୋଖରୀ ଆଦି ରହିଛି । ଆଫଗାନିସ୍ତାନ, ବାଂଲାଦେଶ, ଭାରତ ଓ ପାକିସ୍ତାନରେ କେତେକ ମୋଗଲ ଗାର୍ଡେନ ରହିଥିବାବେଳେ କେନ୍ଦ୍ର ଏସୀୟ ଦେଶଗୁଡିକ ତୁଳନାରେ ସେଗୁଡିକ ଭିନ୍ନ ।
ଅମୃତ ମହୋତ୍ସବ ଅବସରରେ ଏହାର ନାମକୁ ପରିବର୍ତ୍ତନ କରି ଏଭଳି ରଖାଯାଇଛି । ୧୫ ଏକର ବିଶିଷ୍ଟ ଏହି ମୋଗଲ ଗାର୍ଡେନ ରାଷ୍ଟ୍ରପତି ଭବନର ଆତ୍ମା ବୋଲି କୁହାଯାଉଛି। ଏଠାରେ ବିଭିନ୍ନ ଦେଶବିଦେଶର ଅନେକ ପ୍ରଜାତିର ଖୁବ ମନୋଲୋଭା ଫୁଲ ଦର୍ଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଲୋକଙ୍କ ପାଇଁ ଏହା ଶୀଘ୍ର ଖୋଲିବାକୁ ଯାଉଛି ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି। ମୋଗଲ ଗାର୍ଡେନ ମଧ୍ୟରେ ରହିଛି ହର୍ବାଲ ଗାର୍ଡେନ, ମ୍ୟୁଜିକାଲ ଗାର୍ଡେନ, ସ୍ପିରିଚୁଆଲ ଗାର୍ଡେନ । ଅମୃତ ଉଦ୍ୟାନକୁ ଆସନ୍ତା ଜାନୁଆରୀ ୩୧ରୁ ମାର୍ଚ୍ଚ ୨୬ ଯାଏ ସର୍ବସାଧାରଣଙ୍କ ଲାଗି ଖୋଲା ରହିବ ।ପ୍ରାୟ ୧୫ ଏକର ପରିମିତ ଇଲାକାରେ ଏହି ଗାର୍ଡେନ ପ୍ରତିଷ୍ଠିତ । ମୋଗଲ ଗାର୍ଡେନ ଯଦିଓ ମୋଗଲଙ୍କ ଦ୍ବାରା ଡିଜାଇନ କରାଯାଇଥିଲା ତଥାପି ଏହାକୁ ଆଧୁନିକ ରୂପ ଦେଇଥିଲେ ସାର୍ ଏଡଓ୍ବିନ ଲ୍ୟୁଟିନସ ।