ଅଭାବନୀୟ ଘଟଣା ! ଠାକୁରାଣୀଙ୍କ ଦାସି ନାମରେ ମହିଳାଙ୍କ ଆକ୍ରମଣ, ୩ ଗୁରୁତର
ବାଲିଆପାଳ : ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତର ରାମନଗର ରସଲପୁର ଗ୍ରାମର ଶିତଳା ଠାକୁରାଣୀ ମନ୍ଦିର ପରିସରରେ ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ତିଆରିକୁ ନେଇ ଗ୍ରାମରେ ଉତ୍ତେଜନା ଦେଖାଦେଇଛି । ଗୋଟିଏ ଗୋଷ୍ଠୀ କାମ କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ବିରୋଧ କରି ଗୃହ ତିଆରି କର୍ଯ୍ୟକୁ ବନ୍ଦ କରି ଦେଇଛନ୍ତି । ଏନେଇ ମାମଲା ଥାନା ପର୍ଯ୍ୟନ୍ତ ଯାଇଛି । ଅନ୍ୟପକ୍ଷରେ ସୋମବାର ସକାଳେ ଜଣେ ମହିଳା ସବିତା ସାହୁ ତାଙ୍କ ଉପରେ ମା’ ସବାର ହୋଇଛନ୍ତି କହି ଦାସି ପଡ଼ିଥିଲେ । ବିଭିନ୍ନ ପ୍ରକାରର ପ୍ରଳାପ କରି ଝୁଣା ସରା ମୁଣ୍ଡାଇ ନାଚ କରି ଝୁଣା ସରା ମାଧ୍ୟମରେ ଆକ୍ରମଣ କରି ୩ଜଣଙ୍କୁ ଆହତ କରିଛନ୍ତି । ଆହତ ମାନେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅଛନ୍ତି । ଗ୍ରାମରେ ଉତ୍ତେଜନା ଲାଗି ରହିଛି ।
ଘଟଣାରୁ ପ୍ରକାଶ ଯେ, ରାମନଗର ରସଲପୁର ଗ୍ରାମରେ ରହିଛି ତିନୋଟି ଅଙ୍ଗନୱାଡ଼ି କେନ୍ଦ୍ର । ଦୁଇଟି ଅଙ୍ଗନୱାଡ଼ି କେନ୍ଦ୍ରର ଗୃହ ନିର୍ମାଣ ହୋଇ ସାରିଥିବା ବେଳେ ବାକିଥିବା ତୃତୀୟ ଅଙ୍ଗନୱାଡ଼ି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ୭ ଲକ୍ଷ ଟଙ୍କା ଆସିଥିଲା । ଏହି ଗୃହ ଗ୍ରାମର ଶିତଳା ଠାକୁରାଣୀ ମନ୍ଦିର ପରିସରରେ କରିବା ପାଇଁ ଅଙ୍ଗନୱାଡ଼ି କର୍ମୀଙ୍କ ସହିତ ଗ୍ରାମର କିଛି ବ୍ୟକ୍ତିଙ୍କ ସମର୍ଥନରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଏହି କାର୍ଯ୍ୟକୁ ଗ୍ରାମର ଅଧିକାଂଶ ଲୋକ ବିରୋଧ କରିଆସୁଥିଲେ । ଏ ନେଇ ଗ୍ରାମର ଧୀରେନ୍ଦ୍ର ନାଥ ସାହୁ, ଗୋପାଳକୃଷ୍ଣ ବାରିକ, ସନ୍ୟାସୀ ସାହୁ, ବୈକୁଣ୍ଠ ସାହୁ, ମୁରଲୀ ଚନ୍ଦ, ବାଞ୍ଛାନିଧି ସାହୁ, କମଳିନୀ ସାହୁ, ସ୍ନେହଲତା ସାହୁ, ମିନତୀ ଦେ, ସାବିତ୍ରୀ ବାରିକ, ବିଜୟ କୁମାର ପାତ୍ର, ଗୟାରାମ ଜେନାଙ୍କ ସହିତ ବହୁ ଗ୍ରାମବାସୀ ଶିତଳା ଠାକୁରାଣୀ ମନ୍ଦିର ପରିସରରେ ଅଙ୍ଗନୱାଡ଼ି ଘର ହେଲେ ମନ୍ଦିରର ପବିତ୍ରତା ନଷ୍ଟ ହେବ । ତେଣୁ ମନ୍ଦିର ପରିସରରେ ଅଙ୍ଗନୱାଡ଼ି କେନ୍ଦ୍ରର ଗୃହ ନିର୍ମାଣ କରା ନ ଯାଇ ଅନ୍ୟତ୍ର କରାଯାଉ ବୋଲି ଦାବି କରି ଜିଲାପାଳ, ବିଡ଼ିଓ, ସିଡ଼ିପିଓଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ ମନ୍ଦିର ପରିସରରେ କାର୍ଯ୍ୟ ଚାଲୁଥିବାର ଜାଣି ଗତ ଶୁକ୍ରବାର ଗ୍ରାମର ଶତାଧିକ ମହିଳାମାନେ ଏକତ୍ରିତ ହୋଇ କାମ ବନ୍ଦ କରାଇଥିଲେ । କାମ ପାଇଁ ଆସିଥିବା ବାଲି, ଚିପସ, ଇଟା ଇତ୍ୟାଦିକୁ ଫୋପଡ଼ା ଫୋପାଡ଼ି କରିଥିଲେ । ଯାହା ଫଳରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ବାଧ୍ୟ ହୋଇଥିଲେ କାମ ବନ୍ଦ କରିବା ପାଇଁ । ଏହି କାମ ପାଇଁ କାର୍ଯ୍ୟାଦେଶ ଥିବା ବାଲିଆପାଳ ବ୍ଲକର କନିଷ୍ଠ ଯନ୍ତ୍ରୀ ପ୍ରେମାନନ୍ଦ ଚଇନି କାମ ପାଇଁ ଆସିଥିବା ଜିନିଷ ନଷ୍ଟ କରିବା ଅଭିଯୋଗରେ ଗ୍ରାମର ତପନ ଦେ, ଖଗେନ୍ଦ୍ର ଦେ, ଭବେନ୍ଦ୍ର ଦେ, ସୁନୀଲ ଦେ, ସନ୍ୟାସି ସାହୁ, ସବିତା ସାହୁ ଇତ୍ୟାଦିଙ୍କ ନାମରେ କମର୍ଦ୍ଦା ଥାନାରେ ଅଭିଯୋଗ ଦେଇଥିଲେ । ମାତ୍ର ଏହି ଘଟଣା ପରେ ସୋମବାର ସକାଳେ ସବିତା ସାହୁ ଉପରେ ମା’ ସବାର ହୋଇଛନ୍ତି ବୋଲି କହି ଦାସି ପଡ଼ିଥିଲେ । ଗ୍ରାମର ମୁଖିଆ ନିର୍ମଳ ଦାସ ଓ ଅନ୍ୟମାନଙ୍କୁ ଡକାଇଥିଲେ । ମନ୍ଦିର ପରିସରରେ ନିର୍ମଳ ଦାସ ଓ ଅନ୍ୟମାନେ ପହଞ୍ôଚବା ପରେ ଦାସି ପଡ଼ିଥିବା ସବିତା ସାହୁ ମୁଣ୍ଡାଇଥିବା ଝୁଣା ସରାରେ ନିର୍ମଳ ଦାସ ମୁଣ୍ଡକୁ ଜାକି ଦେଇଥିଲେ । ଏଥିରେ ନିର୍ମଳଙ୍କ ମୁହଁ ପୋଡ଼ି ଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଅନ୍ୟ ଦୁଇ ଜଣ ଦେବବ୍ରତ ଦାସ ଓ ଅଶୋକ ପଣ୍ଡାଙ୍କୁ ମଧ୍ୟ ଦାସି ସବିତା ସାହୁ ଆକ୍ରମଣ କରି ଆହତ କରାଇଥିବାର ଥାନାରେ ଅଭିଯୋଗ ହୋଇଛି । ଆହତମାନେ ଏବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅଛନ୍ତି । ଗ୍ରାମରେ ଉତ୍ତେଜନା ଲାଗି ରହିଛି । କମର୍ଦ୍ଦା ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ କରିବା ସହିତ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଥିବା ଜଣା ଯାଇଛି ।