ଆଜିଠୁ ରଣଜୀ ମ୍ୟାଚ : ଗୋଆ-ଓଡ଼ିଶା ମୁକାବିଲା
ମୁମ୍ବାଇ : ଆଜିଠୁ ରଣଜୀ ମ୍ୟାଚ। ଦୀର୍ଘ ୨ ବର୍ଷର ଅପେକ୍ଷା ଏବେ ଶେଷ ହେବାକୁ ଯାଉଛି । କରୋନା ସଂକ୍ରମଣ ଯୋଗୁଁ ଗତ ୨ ବର୍ଷ ହେଲା ରଣଜୀ ଟ୍ରଫି ଆୟୋଜିତ ହୋଇପାରି ନଥିଲା । ଅଭ୍ୟାସ କରିବାକୁ ସୁଯୋଗ ନପାଇ ଘରୋଇ କ୍ରିକେଟ ଖେଳାଳିମାନେ ମନୋବଳ ହରାଇ ବସିଥିଲେ । ବିସିସିଆଇ ରଣଜୀ ସିଜନ ଘୋଷଣା କରିବା ପରଠୁ ଉଦୀୟମାନ ଖେଳାଳିଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇ ଯାଇଛି ।
ଆଜିଠୁ ରଣଜୀ ଟ୍ରଫିର ପ୍ରଥମ ରାଉଣ୍ଡ୍ ଖେଳାଯିବ । ପ୍ରଥମ ପର୍ଯ୍ୟାୟରେ ୧୯ଟି ମ୍ୟାଚ୍ ରହିଛି । ଡିଫେଣ୍ଡିଂ ଚାମ୍ପିଅନ୍ ସୌରାଷ୍ଟ୍ର ଓ ୪୧ଥର ଚାମ୍ପିଅନ୍ ମୁମ୍ବାଇ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିବା ସ୍ୱାଭାବିକ । ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ପ୍ରଦର୍ଶନକୁ ଦେଖିବାକୁ ଦର୍ଶକଙ୍କ ସହ ଭାରତୀୟ ଦଳର ଚୟନକର୍ତ୍ତା ମଧ୍ୟ ଅପେକ୍ଷା କରି ରହିଛନ୍ତି । ଟେଷ୍ଟ କ୍ରିକେଟ୍ରୁ ଉଭୟଙ୍କ ସମୟ ଶେଷ ହେବାକୁ ଯାଉଥିବା ଅନେକ ମତ ପ୍ରକାଶ ପାଇଛି । ଆଗକୁ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ରହିଛି । ଏହି ମ୍ୟାଚ୍ ଉଭୟ ରାହାଣେ ଓ ପୂଜାରାଙ୍କ ଭାଗ୍ୟ ନିର୍ଦ୍ଧରାଣ କରିବ । ମୋଟ୍ ଉପରେ ଏଥର ରଣଜୀ ଟ୍ରଫିରେ ୬୪ଟି ମ୍ୟାଚ୍ ରହିଛି । ସମସ୍ତ ମ୍ୟାଚ୍କୁ ୬୨ ଦିନରେ ଶେଷ କରାଯିବ । ମୋଟ୍ ୩୮ଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟେଜନ କରାଯିବ । ମୋଟ ୩୮ଟି ଦଳକୁ ୯ଟି ଗ୍ରୁପ୍ରେ ଭାଗ କରାଯାଇଛି । ପ୍ରଥମ ୮ଟି ଗ୍ରୁପ୍ରେ ୪ଟି ଲେଖାଏଁ ଦଳ ସ୍ଥାନ ପାଇଛନ୍ତି । ନବମ ଗ୍ରୁପ୍ରେ ରହିଛନ୍ତି ୬ଟି ଦଳ । ପ୍ରଥମ ୮ଟି ଗ୍ରୁପ୍ର ନାମ ‘ଏଲିଟ ଗ୍ରୁପ୍’ ଓ ନବମ ଗ୍ରୁପ୍ର ନାମ ‘ପ୍ଲେଟ୍ ଗ୍ରୁପ୍’ ରଖାଯାଇଛି । ଲିଗ୍ ପର୍ଯ୍ୟାୟ ପାଇଁ ମୋଟ୍ ୯ଟି ଷ୍ଟାଡିୟମ ଚୟନ କରାଯାଇଛି।
ରାଜକୋଟ୍ରେ ଏଲିଟ୍ ଗ୍ରୁପ୍-ଏ, କଟକରେ ଗ୍ରୁପ୍-ବି, ଚେନ୍ନାଇରେ ଗ୍ରୁପ୍-ସି, ଅହମ୍ମଦାବାଦରେ ଗ୍ରୁପ୍-ଡି, ତ୍ରିଭେନ୍ଦ୍ରମରେ ଗ୍ରୁପ୍-ଇ, ଦିଲ୍ଲୀରେ ଗ୍ରୁପ୍-ଏଫ୍, ହରିଆନାରେ ଗ୍ରୁପ୍-ଜି ଓ ଗୌହାଟୀରେ ଗ୍ରୁପ୍-ଏଚ୍ର ସମସ୍ତ ଲିଗ୍ ମୁକାବିଲା ଅନୁଷ୍ଠିତ ହେବ । କୋଲକାତାରେ ପ୍ଲେଟ୍ ଗ୍ରୁପ୍ର ଲିଗ୍ ମ୍ୟାଚ୍ ଖେଳାଯିବ । ପ୍ରତି ଗ୍ରୁପ୍ରେ ସ୍ଥାନ ପାଇଥିବା ଦଳ ଗୁଡ଼ିକ ପାଇଁ ନିଜ ନିଜ ଭେନ୍ୟୁ ନିକଟସ୍ଥ ଅଞ୍ଚଳରେ ଜୈବ ସୁରକ୍ଷା ବଳୟ ପ୍ରସ୍ତୁତ କରାଯିବ । ଟୁର୍ଣ୍ଣାମେଣ୍ଟ ସମୟରେ କୌଣସି ଖେଳାଳି ଜୈବ ସୁରକ୍ଷା ବଳୟ ଅତିକ୍ରମ କରିପାରିବେ ନାହିଁ । ଓଡ଼ିଶା ଦଳ ଏଥର ଅହମ୍ମଦାବାଦରେ ଭାଗ୍ୟ ପରୀକ୍ଷା କରିବାକୁ ପ୍ରସ୍ତୁତ । ଏଲିଟ୍ ଗ୍ରୁପ୍ ଡି’ରେ ଓଡ଼ିଶା ସ୍ଥାନ ପାଇଛି । ଗୁରୁବାର ଗୋଆ ବିପକ୍ଷରେ ଓଡ଼ିଶା ଅଭିଯାନ ଆରମ୍ଭ କରିବ । ଏହି ଗ୍ରୁପ୍ରେ ଅନ୍ୟ ଦୁଇ ଦଳ ଭାବେ ମୁମ୍ବାଇ ଓ ସୌରାଷ୍ଟ୍ର ରହିଛନ୍ତି । ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ୱାସିମ ଜାଫର ଓଡ଼ିଶା ଦଳର କୋଚ୍ ରହିଛନ୍ତି । ଓଡ଼ିଶା ଦଳର ଅଧିନାୟକ ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଶୁଭ୍ରାଂଶୁ ସେନାପତିଙ୍କ ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିବା ସ୍ୱାଭାବିକ । ଗତ ଆଇପିଏଲ୍ ନିଲାମରେ ଚେନ୍ନାଇ ସୁପରକିଙ୍ଗ୍ସ ଶୁଭ୍ରାଂଶୁଙ୍କୁ କିଣିଛି । ରଣଜୀ ଟ୍ରଫିରେ ଉନ୍ନତ ପ୍ରଦର୍ଶନ କରି ଶୁଭ୍ରାଂଶୁ ଆଇପିଏଲ୍ ଖେଳିବାକୁ ପ୍ରସ୍ତୁତ ଥିବା ପ୍ରମାଣ କରିବେ ।