ରଣଜୀ ଟ୍ରଫି! ପ୍ରଥମ ଦିନରେ ବ୍ୟାଟିଂ ବିପର୍ଯ୍ୟୟ : ବସନ୍ତଙ୍କୁ ୩ ୱିକେଟ୍, ଆଶିଷଙ୍କ ଡେବ୍ୟୁ
କଟକ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ଗ୍ରାଉଣ୍ଡ୍-ବି’ରେ ଗୁରୁବାର ଓଡ଼ିଶା ତା’ର ରଣ୍ଜୀ ଅଭିଯାନ ଆରମ୍ଭ କରିଛି। ଦଳ ତା’ର ପ୍ରଥମ ମୁକାବିଲାରେ ଗୋଆ ସହ ଖେଳୁଥିବା ବେଳେ ପ୍ରଥମ ଦିନରେ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଛି। ଟସ୍ ଜିତି ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି ପ୍ରଥମେ ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେବା ପରେ ଭେଟେରାନ୍ ପେସର୍ ବସନ୍ତ ମହାନ୍ତିଙ୍କ ୩ ୱିକେଟ୍ର ସଫଳତାକୁ ଆଧାର କରି ଗୋଆ ଇନିଂସକୁ ମାତ୍ର ୧୮୧ ରନ୍ରେ ସୀମିତ ରଖିଥିଲେ। କିନ୍ତୁ ପ୍ରଥମ ଦିନର ଶେଷ ଭାଗରେ ଓଡ଼ିଶା ତା’ର ପ୍ରଥମ ଇନିଂସ ଆରମ୍ଭ କରିଥିଲେ ହେଁ ମାତ୍ର ୨୩ ରନ୍ରେ ୩ ୱିକେଟ୍ ହରାଇ ବିପଦରେ ପଡ଼ିଛି। ଓପନର ଶାନ୍ତନୁ ମିଶ୍ର ୬, ତାଙ୍କ ଯୋଡ଼ିଦାର ଅନୁରାଗ ଷଡ଼ଙ୍ଗୀ ୧ ଓ ସନ୍ଦୀପ ପଟ୍ଟନାୟକ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଯାଇଛନ୍ତି। ଖେଳ ଶେଷ ବେଳକୁ ଅଧିନାୟକ ଶୁଭ୍ରାଂଶୁ ୨ଟି ଚୌକା ସହ ୧୪ ରନ୍ କରି ଅପରାଜିତ ଅଛନ୍ତି। ଗୋଆ ପକ୍ଷରୁ ଲକ୍ଷ୍ୟ ଗର୍ଗ ୨ଟି ଓ ଶୁଭମ୍ ରାଜନେ ଗୋଟିଏ ୱିକେଟ୍ ନେଇଛନ୍ତି।
ଏହା ପୂର୍ବରୁ ଗୁରୁବାର ସକାଳେ ଗୋଆର ଦୁଇ ଓପନର ଅମୋଘ ଦେଶାଇ ଓ ସୁମିରନ୍ ଅମୋନକର ଇନିଂସ ଆରମ୍ଭ କରିଥିଲେ। କିନ୍ତୁ ଇନିଂସର ପଞ୍ଚମ ଓଭରରେ ବସନ୍ତ ଓଡ଼ିଶା ପାଇଁ ପ୍ରଥମ ସଫଳତା ଆଣିଦେଇଥିଲେ। ସେ ସୁମିରନ୍ଙ୍କୁ ସନ୍ଦୀପଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇ ଓପନିଂ ଯୋଡ଼ିକୁ ଭାଙ୍ଗିଦେଇଥିଲେ। ପରେ ଅମୋଘ ଓ ସୂର୍ଯ୍ୟାଂଶ ପ୍ରଭୁଦେଶାଇ ଦଳୀୟ ସ୍କୋର୍କୁ ୩୫ରେ ପହଞ୍ଚାଇଥିବା ବେଳେ ଶୁଭ୍ରାଂଶୁଙ୍କ ହାତରେ ଅମୋଘ ରନ୍ଆଉଟ୍ ହୋଇଥିଲେ। ଏଥିସହ ଓଡ଼ିଶା ତା’ର ଦ୍ୱିତୀୟ ଶିକାର ହାସଲ କରିଥିଲା। ଅଧିନାୟକ ସ୍ନେହଲ୍ କୋଥାଙ୍କର୍ (୧୨)ଙ୍କୁ ଆଉଟ୍ କରି ରାଜେଶ ମହାନ୍ତି ତାଙ୍କର ପ୍ରଥମ ସଫଳତା ଅର୍ଜନ କରିଥିଲେ। ଶୁଭମ୍ ରାଜନେ (୬)ଙ୍କୁ ଆଉଟ୍ କରି ଡେବ୍ୟୁଟାଣ୍ଟ୍ ଆଶିଷ ରାଏ ତାଙ୍କର ପ୍ରଥମ ୱିକେଟ୍ ହାସଲ କରିଥିଲେ। ସପ୍ତମ ୱିକେଟ୍ରେ ୱିକେଟ୍କିପର୍ କେଡି ଏକନାଥ ଓ ଶ୍ରୀକାନ୍ତ ୱାଗ୍ ୫୩ ରନ୍ ଯୋଡ଼ିବା ଫଳରେ ସ୍କୋର୍ ଶହେ ଅତିକ୍ରମ କରିଥିଲା।
ଗୋବିନ୍ଦ ପୋଦ୍ଦାରଙ୍କ ହାତରେ ୱାଗ୍ ରନ୍ଆଉଟ୍ ହେବା ଫଳରେ ଏହି ଭାଗୀଦାରୀରେ ବ୍ରେକ୍ ଲାଗିଥିଲା। ସେତେବେଳକୁ ୱାଗ୍ ୩ଟି ଚୌକା ସହ ୧୯ ରନ୍ କରିଥିଲେ। ଏହାଛଡ଼ା ଏକନାଥ ଶେଷ ୱିକେଟ୍ରେ ଅମୂଲ୍ୟ ପାଣ୍ଡ୍ରେକରଙ୍କ ସହ ୪୧ ରନ୍ ଯୋଡ଼ିବା ଫଳରେ ଦଳୀୟ ସ୍କୋର୍ ୧୮୧ରେ ପହଞ୍ଚିଥିଲା। ଏକନାଥ ୧୨ଟି ଚୌକା ଓ ଗୋଟିଏ ଛକା ସହ ୭୬ ରନ୍ କରିଥିବା ବେଳେ ପାଣ୍ଡ୍ରେକର୍ ୪ଟି ଚୌକା ସହ ୨୭ ରନ୍ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ଓଡ଼ିଶା ପକ୍ଷରୁ ବସନ୍ତ ୧୮ ଓଭର୍ରେ ୨୭ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ଅଭିଷେକ ରାଉତ ୨ଟି ଏବଂ ରାଜେଶ, ଆଶିଷ ଓ ଦେବବ୍ରତ ପ୍ରଧାନଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା।