ରାଜ୍ୟସଭା ନିର୍ବାଚନ : ଆଜି ୪ ରାଜ୍ୟର ୧୬ ଆସନରେ ଭୋଟ
ନୂଆଦିଲ୍ଲୀ : ଆଜିି ରାଜ୍ୟସଭା ନିର୍ବାଚନ । ୪ଟି ରାଜ୍ୟର ୧୬ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ । ଏହିି ୪ ରାଜ୍ୟ ହେଲା ହରିଆଣା, ରାଜସ୍ଥାନ,ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ । ରାଜ୍ୟସଭା ନିର୍ବାଚନ ପାଇଁ ଘୋଡ଼ା ବେପାର ଅଭିଯୋଗ ଉଠିଛି । ତେଣୁ ୪ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ନିର୍ବାଚନ ପ୍ରକ୍ରିୟାର ଭିଡିଓଗ୍ରାଫି ହେବ । ମୋଟ୍ ୧୫ଟି ରାଜ୍ୟର ୫୭ ରାଜ୍ୟସଭା ଆସନ ଖାଲିଥିଲ।। ହେଲେ ୪୧ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି । ଏହି ୪୧ ଜଣ ପ୍ରାର୍ଥୀ ଓଡିଶା, ଉତ୍ତରପ୍ରଦେଶ, ତାମିଲନାଡୁ, ବିହାର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଂଜାବ, ତେଲେଙ୍ଗାନା, ଝାଡ଼ଖଣ୍ଡ ଏବଂ ଉତ୍ତରାଖଣ୍ଡରୁ ନିର୍ବିରୋଧରେ ନିର୍ବାଚିତ ହୋଇସାରିଛନ୍ତି ।
ରାଜସ୍ଥାନ, ହରିୟାଣା, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଗୋଟିଏ ଗୋଟିଏ ଭୋଟ ପାଇଁ କ୍ରିକେଟର ଟି-୨୦ ଭଳି ମୁକାବିଲା ହେବାକୁ ଯାଉଛି । ଏହି ସବୁ ରାଜ୍ୟରେ ରାଜନୈତିକ ଦଳମାନେ ନିଜ ନିଜ ବିଧାୟକମାନଙ୍କୁ ହୋଟେଲ ଅଥବା ଅନ୍ୟ ସୁରକ୍ଷିତ ସ୍ଥାନରେ ରଖିଛନ୍ତି । ହରିୟାଣା କଂଗ୍ରେସର ସମସ୍ତ ବିଧାୟକ ଛତିଶଗଡ଼ ପହଞ୍ଚିଥିଲେ, ଏହା ପରେ ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀ ନିଆଯାଇଥିଲା । ବିଜେପି-ଜେଜେପି ସମସ୍ତ ବିଧାୟକଙ୍କୁ ଚଣ୍ଡୀଗଡ଼ ରିସର୍ଟରେ ରଖିଛି । ରାଜସ୍ଥାନର ବିଧାୟକମାନେ ଉଦୟପୁରସ୍ଥିତ ଏକ ହୋଟେଲରେ ଅଟକିଥିଲେ । ପରେ ସେମାନଙ୍କୁ ଅଶୋକ ଗହଲୋତଙ୍କ ହେପାଜତରେ ଜୟପୁର ନିଆଯାଇଥିଲା । ମହାରାଷ୍ଟ୍ରରେ ମହାବିକାଶ ଅଘାଡୀ ଓ ବିଜେପି ବିଧାୟକଙ୍କୁ ହୋଟେଲରେ ରଖାଯାଇଛି । ଆଜିର ରାଜ୍ୟସଭା ନିର୍ବାଚନରେ ପୀୟୁଷ ଗୋୟଲ, ନିର୍ମଳା ସୀତାରମଣ, କଂଗ୍ରେସ ନେତା ଜୟରାମ ରମେଶ, ରଣଦୀପ ସୁରଜେୱାଲା, ଅଜୟ ମାକନ, ସଂଜୟ ରାଉତ ଓ ଏନସିପିର ପ୍ରଫୁଲ ପଟେଲ ଭଳି ନେତାମାନେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି । ତେବେ ୧୬ ଆସନ ପାଇଁ ନେତାମାନେ ନିଜ ନିଜ ହିସାବରେ ଗଣିତ କରୁଛନ୍ତି ।