ଆଇପିଏଲ-୨୦୨୧ : ୩ ଉଇକେଟରେ ଜିତିଲା ରାଜସ୍ଥାନ
- ଦିଲ୍ଲୀକୁ ହରାଇ ପ୍ରଥମ ବିଜୟ ପାଇଲା ରାଜସ୍ଥାନ
ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚଳିତ ଆଇପିଏଲର ୭ମ ମ୍ୟାଚରେ ଗୁରୁବାର ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଉଇକେଟରେ ପରାସ୍ତ କରିଛି। ଡେଭିଡ୍ ମିଲରଙ୍କ ୬୨(୪୩) ରନ୍ ଏବଂ କ୍ରିସ ମୋରିସଙ୍କ ଧମାକାଦାର ୩୬ (୧୮) ରନ୍ ବଳରେ ୧୪୮ ରନର ବିଜୟ ଲକ୍ଷ୍ୟକୁ ହାସଲ କରିବାରେ ସକ୍ଷମ ହୋଇଛି ରାଜସ୍ଥାନ। ମ୍ୟାଚ ଜିତିବାକୁ ଦଳ ୩ ବଲରେ ୪ ରନ ଆବଶ୍ୟକ କରୁଥିବା ବେଳେ ଆଇପିଏଲ୍ ସବୁଠାରୁ ଦାମୀ ଖେଳାଳି ମୋରିସ୍ ଏକ ବଡ଼ ଛକ୍କା ମାରି ଦଳକୁ ବିଜୟ ଦେଇଥିଲେ। ଏହି ବିଜୟ ବଳରେ ରାଜସ୍ଥାନ ଦୁଇ ପଏଣ୍ଟ ପାଇ ପଏଣ୍ଟ ଟେବୁଲକୁ ଫେରିଛି।
ସେପଟେ ଆଜିର ମ୍ୟାଚ୍ରେ ଦିଲ୍ଲୀ ଭଳି ଆରଆର ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟର ସାମ୍ନା କରିଥିଲା। ପୂର୍ବ ମ୍ୟାଚ୍ରେ ଶତକ କରିଥିବା ଅଧିନାୟକ ସଞ୍ଜୁ ସାମସନ୍ କେବଳ ୪ ରନ୍ କରିବାରେ ସକ୍ଷମ ହୋଇଥିଲେ। ୧୩ ରନ୍ରେ ଦଳକୁ ଦୁଇଟି ଝଟ୍କା ଲାଗିଥିଲା। ଏହା ପରେ ୧୭ ରନ୍ରେ ୩, ୩୬ ରନ୍ରେ ୪, ୪୨ ରନ୍ରେ ୫, ୯୦ ରନ୍ରେ ୬ଟି ଓ୍ବିକେଟ ହରାଇଥିଲା ରାଜସ୍ଥାନ। ଏହା ପରେ ୧୦୪ ରନ୍ରେ ୬୨ ରନ୍ କରି ପାଭିଲିୟନ୍ ଫେରିଥିଲେ ଡେଭିଡ୍ ମିଲର। ଦିଲ୍ଲୀର ଆଭେସ ଖାନ ସର୍ବାଧିକ ୩ଟି ଓ୍ବିକେଟ ଅକ୍ତିଆର କରିଥିଲେ। ଆଜିର ଆଇପିଏଲ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦି ଲ୍ଲୀ କ୍ୟାପିଟାଲ୍ସ । ଦଳ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୪୮ ରନ କରିପାରିଥିଲା । ଦଳ ପକ୍ଷରୁ ଅଧିନାୟକ ରିଷଭ ପନ୍ତ ହିଁ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଏହାପରେ ଶେଷ ଆଡକୁ ଲଳିତ ଯାଦବ ଏବଂ ଟମ୍ କରନ ମଧ୍ୟ କିଛି ରନ କରିବାରେ ସକ୍ଷମ ହୋଇଥିଲେ । ସେପଟେ ଆରଆରର ଦ୍ରୁତ ବୋଲର ଜୟଦେବ ଉନାଦକତ ୩ଟି ସଫଳତା ପାଇଥିବାବେଳେ ମୁସ୍ତାଫିଜୁର ରେହମାନ ୨ଟି ସଫଳତା ପାଇଥିଲେ ।