ଦିଲ୍ଲୀକୁ ୨୨୩ ରନର ଟାର୍ଗେଟ ଦେଲା ରାଜସ୍ଥାନ
ଚଳିତ ସିଜିନର ତୃତୀୟ ଶତକ ହାସଲ କଲେ ବଟଲର
ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଛି । ଏଥିରେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ ଜସ୍ ବଟଲରଙ୍କ ଧମାକା ଦେଖିବାକୁ ମିଳିଛି । ତାଙ୍କର ନିର୍ମମ ପ୍ରହାରରେ ଦିଲ୍ଲୀର ବୋଲରମାନେ ଛତ୍ରଭଙ୍ଗ ଦେଇଥିଲେ । ଚଳିତ ଆଇପିଏଲରେ ଗର୍ଜି ଚାଲିଛି ଜୋସ୍ ବଟଲରଙ୍କ ବ୍ୟାଟ୍ । ଶତକ ପରେ ଶତକ । ଶୁକ୍ରବାର ଆଇପିଏଲର ୩୪ତମ ମ୍ୟାଚ୍ରେ ଜୋସ୍ ବଟଲର ବିସ୍ଫୋରକ ଶତକ ହାସଲ କରିଛନ୍ତି । ଚଳିତ ସଂସ୍କରଣରେ ଏହା ହେଉଛି ତାଙ୍କର ତୃତୀୟ ଶତକ । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୨ ୱିକେଟ୍ ହରାଇ ୨୨୨ ରନର ବିଶାଳ ସ୍କୋର କରିଛି । ବୋଟଲର ବିସ୍ଫୋରକ ବ୍ୟାଟିଂ କରି ୬୫ ରନ ବଲରୁ ୧୧୬ ରନ କରିଛନ୍ତି । ଏଥିରେ ୯ଟି ଚୌକା ଏବଂ ୯ଟି ଛକା ସାମିଲ । ତାଙ୍କ ବ୍ୟତୀତ ଦେବଦତ୍ତ ପାଡିକଲ ୫୪ ରନ କରିଛନ୍ତି । ଅଧିନାୟକ ସଞ୍ଜୁ ସାମସନ ୧୯ ବଲରୁ ୪୬ ରନ କରିଥିଲେ । ଦିଲ୍ଲୀର ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନର ଦୁଇ ଓପନର ଇନଫର୍ମ ବ୍ୟାଟସମ୍ୟାନ ଜୋସ ବଟଲର ଏବଂ ଦେବଦତ୍ତ ପାଡିକଲ ପ୍ରଥମେ ଦେଖିଚାହିଁ ବ୍ୟାଟିଂ କରିଥିଲେ । ତେବେ କ୍ରିଜରେ ସେଟ୍ ହେବା ପରେ ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ । ଦିଲ୍ଲୀ ବୋଲରଙ୍କ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରି ନିର୍ଧୁମ ପ୍ରହାର କରିଥିଲେ । ୧୫.୧ ଓଭରରେ ୧୫୫ ରନ ଯୋଡିଥିଲେ ଦୁଇ ଓପନର । ପାଡିକଲ ୩୫ ବଲରୁ ୭ ଚୌକା ଏବଂ ୨ ଛକା ସହ ୫୪ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳି ଆଉଟ୍ ହୋଇଥିଲେ । ଅନ୍ୟପଟେ ଜୋସ ବଟଲର ଧୂଆଁଧାର ବ୍ୟାଟିଂ କରି ଚଳିତ ଆଇପିଏଲରେ ନିଜର ତୃତୀୟ ଶତକ ହାସଲ କରିଥିଲେ । ମୋଟ୍ ଉପରେ ଆଇପିଏଲରେ ବଟଲରଙ୍କ ଏହା ହେଉଛି ଚତୁର୍ଥ ଶତକ । ୧୯ତମ ଓଭରରେ ବଟଲର ଆଉଟ୍ ହୋଇଥିଲେ । ସେ ୬୫ ବଲରୁ ୯ଟି ଲେଖାଏଁ ଚୌକା ଏବଂ ଛକା ସହ ୧୧୬ ରନର ଚମତ୍କାର ଇନିଂସ ଖେଳିଥିଲେ । ଶେଷ ଆଡକୁ ସଞ୍ଜୁ ସାମସନ ୧୯ ବଲରୁ ୫ ଚୌକା ଏବଂ ୩ ଛକା ସହ ୪୬ ରନ କରିଥିଲେ । ରାଜସ୍ଥାନ ନିର୍ଦ୍ଧାରିତ ଓଭରରେ ୨ ୱିକେଟ୍ ହରାଇ ୨୨୨ ରନ କରିଛି । ଦିଲ୍ଲୀ ପକ୍ଷରୁ ଖଲିଲ ଅହମ୍ମଦ ଏବଂ ମୁସ୍ତାଫିଜୁର ରେହମାନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।