ଆଜିଠୁ କମିବ ବର୍ଷା, ୧୭ ଜିଲାରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଉତର ଛତିଶଗଡ ଏବଂ ପାର୍ଶ୍ୱବର୍ତୀ ଅଂଚଳରେ ସକ୍ରିୟ ରହିଛି । ଏହା ସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳର ୫.୮କିମି ଯାଏଁ ଲମ୍ବିଛି । ଏହା ଆଗାମୀ ୨ ଦିନ ଯାଏଁ ପଶ୍ଚିମ -ଉତରପଶ୍ଚିମ ଦିଗରେ ଗତିକରିବାର ସମ୍ଭାବନା ରହିଛି । ଏହି ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଅନ୍ୟପକ୍ଷରେ ୨୨ ତାରିଖ ପରଠାରୁ ରାଜ୍ୟରେ ବର୍ଷା ପରିମାଣ କମିପାରେ । କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ମଧ୍ୟାହ୍ନ ବୁଲେଟିନରେ କୁହାଯାଇଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ୨୨ରୁ ୨୩ ତାରିଖ ମଧ୍ୟରେ ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି , ଗଜପତି, ଗଂଜାମ, ନୟାଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୁରଭଂଜ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ଏହି ଜିଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।