ମୌସୁମୀ ସକ୍ରିୟ! ଆସନ୍ତାକାଲି ଠାରୁ ବଢ଼ିବ ବର୍ଷା, ଦୁଇଦିନ ପାଇଁ ଏହିସବୁ ଜିଲାକୁ ସତର୍କ ସୂଚନା ଜାରି
ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ସକ୍ରିୟ । ଫଳରେ ଏହା ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ୬ତାରିଖରୁ ତିନିଦିନ ଧରି ପ୍ରବଳ ବର୍ଷା ହୋଇପାରେ। ପ୍ରବଳ ବର୍ଷା ନେଇ ଆସନ୍ତାକାଲି ୧୬ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୭ ତାରିଖରେ ବିଭିନ୍ନ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବାକୁ ଥିବାବେଳେ ୮ରେ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତାକାଲି ମଙ୍ଗଳବାର ଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବ। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଓ ନୟାଗଡ଼। ଏହି ସବୁ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ମଧ୍ୟ ବର୍ଷା ହୋଇପାରେ। ୭ ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।
ସେହିପରି ୭ ତାରିଖ ପାଇଁ ୬ ଜିଲା ଅନୁଗୋଳ, ଢେଙ୍କାନାଳ, କଟକ, ବୌଦ୍ଧ, ସମ୍ବଲପୁର ଏବଂ ଦେବଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର। ଏହି ସମୟରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।