ରାଜ୍ୟରେ କମିବ ବର୍ଷା, ଆଜି ୬ ଜିଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ଆଜିଠୁ ରାଜ୍ୟରେ କମିବ ବର୍ଷା। ଉତ୍ତର ପଶ୍ଚିମ ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଅଞ୍ଚଳରେ କେନ୍ଦ୍ରୀଭୂତ ଗଭୀର ଅବପାତ ଝାଡ଼ଖଣ୍ଡ ଦେଇ ଉତ୍ତର ଛତିଶଗଡ଼ରୁ ମଧ୍ୟପ୍ରଦେଶ ଆଡ଼କୁ ମୁହାଁଇବ । ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ଦୁର୍ବଳ ହୋଇଛି । ଫଳରେ ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ଅଧିକ ବର୍ଷା ନାହିଁ । କିନ୍ତୁ ରବିବାର ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ଭାରୀ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ତେବେ ଆଜି ୬ଟି ଜିଲାରେ ବର୍ଷା ହେବାର ସମ୍ଭାବନା ଥିବାରୁ ସେସବୁ ଜିଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲାଗୁଡ଼ିକ ହେଲା ମୟୂରଭଞ୍ଜ, ଅନୁଗୋଳ, କୋରାପୁଟ, ରାୟଗଡ଼ା, ଗଜପତି ଓ ନବରଙ୍ଗପୁର । ତେବେ ହୀରାକୁଦର ଜଳସ୍ତର କମୁଥିବାରୁ ଓ ଉପରମୁଣ୍ଡରେ ବର୍ଷାର ପ୍ରଭାବ ନଥିବାରୁ ମାତ୍ର ୪ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ୨୧ ଓ ୨୨ ତାରିଖରେ ରାଜ୍ୟରେ ଆଦୌ ବର୍ଷା ନାହିଁ । ୨୩ ଓ ୨୪ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶା ସମେତ ଉତ୍ତର ଓଡ଼ିଶାର କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ । କିନ୍ତୁ କୌଣସି ଅଞ୍ଚଳରେ ବିସ୍ତୃତ ବର୍ଷାର ଆଶଙ୍କା ନାହିଁ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡିର କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।୨୧ରେ ଛତିଶଗଡ଼ର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ୨୩ ଓ ୨୪ରେ ମୌସୁମୀ ଟ୍ରଫ୍ ପ୍ରଭାବରେ ସାମାନ୍ୟ ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । କିନ୍ତୁ ଆଗାମୀ କିଛି ଦିନ ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହିବ । ଚାଷୀମାନେ ବିଲରେ ପାଣି ବାନ୍ଧି ରଖି ଚାଷ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ଅନ୍ୟପକ୍ଷରେ ମହାନଦୀ ଓ ତା’ର ଶାଖା ନଦୀରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ସୁଧାର ଆସୁଛି । ବନ୍ୟାଜଳ ଛାଡ଼ିବା ପରେ କ୍ଷୟକ୍ଷତି ଆକଳନ କରାଯିବ । ଏବେ ଲୋକଙ୍କୁ ରିଲିଫ ସାମଗ୍ରୀଯୋଗାଇ ଦିଆଯିବା ସହ ଘାଇ ମରାମତି ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ମହାନଦୀ ଓ ତା’ର ଶାଖାନଦୀରେ ସୃଷ୍ଟି ହୋଇଥିବା ୭ଟି ଘାଇକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ମାଗଣା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବାବେଳେ ପାଣି ଛାଡ଼ିବା ପରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରଭାବିତଙ୍କୁ ୧୫ ଦିନ ରିଲିଫ ଏବଂ ଅନ୍ୟ ୫ଟି ଜିଲ୍ଲାରେ ୭ ଦିନ ରିଲିଫ ଦିଆଯିବ ବୋଲି ଶ୍ରୀ ଜେନା କହିଥିଲେ ।
ସେହିପରି ବନ୍ୟା ଅଞ୍ଚଳରେ ୯ ଲକ୍ଷ ପାଣିପାଉଚ ଓ ବୋତଲ ବଣ୍ଟାଯାଇଛି । ୧୬୧୮ ମେଟ୍ରିକ୍ ଟନ୍ ଗୋଖାଦ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ପଠାଯାଇଛି । ସେ କହିଥିଲେ, ଏବେ ରିଲିଫ ଉପରେ ଗୁରୁତ୍ୱ ଦିଆଯାଉଥିବାରୁ କ୍ଷୟକ୍ଷତି ଆକଳନ ପରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦିଆଯିବ କି ନାହିଁ ସେନେଇ ଚିନ୍ତା କରାଯିବ । ଏହି ବର୍ଷା ଓ ବନ୍ୟାରେ କେତେକ ସ୍ଥାନରେ ପୋଲ ଭାସିଯାଇଥିବାବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ବହୁ ରାସ୍ତାରେ ପାଣି ଚାଲୁଥିବାରୁ ଲୋକେ ଯାତାୟାତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ବର୍ଷା ଓ ବନ୍ୟାରେ ହେକ୍ଟର ହେକ୍ଟର ଚାଷଜମିରେ ବ୍ୟାପକ ଧାନଫସଲ ନଷ୍ଟ ହୋଇଥିବାବେଳେ ପନପରିବା ପଚିସଢ଼ି ନଷ୍ଟ ହୋଇଛି । ଧାର କରଜ କରି ଚାଷ କରିଥିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।