୬ ବେଳକୁ ରାଜ୍ୟରେ ବର୍ଷା, ଆଜି ୧୭ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ଆଗକୁ ଆସୁଛି ଦୁଇ ଦୁଇଟି ଲଘୁଚାପ । ଏଥିମଧ୍ୟରୁ ଚଳିତ ମାସ ପ୍ରଥମ ସପ୍ତାହ ଅର୍ଥାତ ସେପ୍ଟେମ୍ବର ୨ରୁ ୮ ତାରିଖ ମଧ୍ୟରେ ପ୍ରଥମ ଲଘୁଚାପ ଓ ଦ୍ୱିତୀୟଟି ସେପ୍ଟେମ୍ବର ୯ରୁ ୧୫ ମଧ୍ୟରେ ସୃଷ୍ଟି ହେବ । ଏହାର ପ୍ରଭାବରେ ଆସନ୍ତା ୫ ତାରିଖ ପରେ ରାଜ୍ୟରେ ପାଗର ପରିବର୍ତ୍ତନ ହେବ । ପ୍ରବଳ ବର୍ଷା ହେବା ସହ ଗୁଳୁଗୁଳି ଓ ଗରମରୁ ନିସ୍ତାର ମିଳିବ।
ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ସ୍ଥିତିରେ ରହିଛି। ମୌସୁମୀଜନିତ ନିମ୍ନଚାପରେଖା ହିମାଳୟ ପାଦଦେଶରୁ ସାମାନ୍ୟ ଦକ୍ଷିଣକୁ ଖସିଛି। ରାଜ୍ୟରେ ମୌସୁମୀ ସକ୍ରିୟ ନଥିବାରୁ ଦିନ ତାପମାତ୍ରା ବଢ଼ି ଚାଲିଛି। ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଯୋଗୁଁ ଉପକୂଳ ସମେତ ବିଭିନ୍ନ ଆଭ୍ୟନ୍ତରୀଣ ଜିଲ୍ଲାରେ ଗୁଳୁଗୁଳି ଜାରି ରହିଛି। ଆସନ୍ତା ୨ ଦିନ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ । ୬ ତାରିଖ ବେଳକୁ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋୱାର୍ଣ୍ଣିଂ ଜାରି କରିଛି। ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଖରାଟିଆ ପାଗ ଜାରି ରହିବ। କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ମଧ୍ୟ ହେବ।
ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁସାରେ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଥମ ଲଘୁଚାପଟି ଆସନ୍ତା ୮ ତାରିଖ ମଧ୍ୟରେ ସୃଷ୍ଟି ହୋଇପାରେ । ଦ୍ୱିତୀୟ ଲଘୁଚାପଟି ସେପ୍ଟେମ୍ବର ୯ରୁ ୧୫ ତାରିଖ ମଧ୍ୟରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ତାରିଖରୁ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି । ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଅଂଚଳରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସେଥିପାଇଁ ୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଶନିବାର ସକାଳ ସାଢ଼େ ୮ଟାରୁ ୪ ତାରିଖ (ରବିବାର) ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ୧୭ଟି ଜିଲା- ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୟାଗଡ଼, ଅନୁଗୋଳ, ଢେଙ୍କାନାଳ, କଟକ, କେନ୍ଦୁଝର ଓ ମୟୂରଭଞ୍ଜ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରବାହ ଜାରି ରହିଛି । ଏହା ପ୍ରଭାବରେ ଉଚ୍ଚ ତାପମାତ୍ରା ଏବଂ ଆର୍ଦ୍ରତା ପ୍ରଭାବରେ ଉପକୂଳ ସମେତ ବିଭିନ୍ନ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଗୁଳୁଗୁଳି ଜାରି ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।