ରାଜ୍ୟରେ ବର୍ଷା ବିତ୍ପାତ, ଆଜି ୯ ଜିଲାର ସ୍କୁଲ ଛୁଟି
ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଲଘୁଚାପ ଜନିତ ବର୍ଷା ଯୋଗଁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ଏପରି ବାଦଲ ଫଟା ବର୍ଷା ଦୁଇ ଦିନ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ, ଲଗାଣ ବର୍ଷାରେ ଟୁଇନ୍ ସିଟି ଭାସୁଥିବା ବେଳେ ଅନ୍ୟ ଜିଲାରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜିଛି । ଫଳରେ ପରିସ୍ଥିତି ସଙ୍ଗୀନ୍ ରହିଛି । କିଛି ସ୍ଥାନରେ ଲୋକଙ୍କ ଘରେ ପାଣି ପଶି ଯାଇଥିବା ବେଳେ ଗମନାଗମନ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଏନେଇ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କହିଛି ପ୍ରଶାସନ ।
ବର୍ଷା ବିତ୍ପାତ ଯୋଗୁଁ ଆଜି ୯ଟି ଜିଲାରେ ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡିକୁ ଗୁଡିକୁ ଛୁଟି ଘୋଷଣା କରାଯାଇଛି । ତେବେ ସେହି ଜିଲା ଗୁଡିକ ହେଲା, ସୁବର୍ଣ୍ଣପୁର, କେନ୍ଦୁଝର, ରାୟଗଡ଼ା, ବଲାଙ୍ଗିର, ଝାରସୁଗୁଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ ଓ ବରଗଡ଼ ଜିଲାର ସ୍କୁଲ ଗୁଡିକ ବନ୍ଦ ରହିବ ବୋଲି ସମ୍ପୃକ୍ତ ଜିଲାପାଳ ମାନଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
ରାଜ୍ୟରେ ଆସିପାରେ ବନ୍ୟା, କାରଣ ବିଭିନ୍ନ ନଦୀରେ ଜଳସ୍ତର ବିପଦ ସଂଙ୍କେତ ଅତିକ୍ରମ କରିସାରିଛି। ବଂଶଧାରା, ବୈତରଣୀ ନଦୀରେ ଜଳ ସ୍ତର ବିପଦ ସଙ୍କେତ ଅତିକ୍ରମ କରୁଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀର ଉପର ମୁଣ୍ଡରେ ଲଗାତାର ଏବଂ ପ୍ରବଳ ବର୍ଷା ହେବା କାରଣକୁ ବଂଶଧାରା ଏବଂ ବୈତରଣୀ ନଦୀ ଫୁଲିବା ନଦୀର ନିମ୍ନ ଭାଗରେ ଅବସ୍ଥିତ ଅଞ୍ଚଳ ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଲଗାତାର ବର୍ଷା ହେତୁ ବୈତରଣୀ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇ ରାଜଘାଟ ଠାରେ ବିପଦ ସଙ୍କେତ ଅତିକ୍ରମ କରିଛି। ୩୬.୩୬ ମିଟର ବିପଦ ସଙ୍କେତ ଅତିକ୍ରମ କରି ନଦୀର ଜଳସ୍ତର ଏବେ ୩୯.୧୪ ମିଟର ରହିଛି। ଉଭୟ ବଂଶଧାରା ଏବଂ ବୈତରଣୀ ନଦୀରେ ଜଳ ସ୍ତର ବିପଦ ସଙ୍କେତ ଅତିକ୍ରମ କରୁଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ଗଜପତି ଜିଲ୍ଲାରେ ବଂଶଧାରା ନଦୀର ଜଳ ସ୍ତର ବୁଧବାର ବିପଦ ସଙ୍କେତ ଅତିକ୍ରମ କରିସାରିଛି। ସୂଚନା ଅନୁସାରେ ଗଜପତି ଜିଲାର କାଶୀନଗର ଠାରେ ବଂଶଧାରା ନଦୀର ଜଳ ସ୍ତର ୫୪.୯୦ ମିଟର ରହିଛି। ଯାହା ବିପଦ ସଂଙ୍କେତ ୫୪.୬୦ ମିଟର ଅତିକ୍ରମ କରିସାରିଛି। ନଦୀର ନିମ୍ନ ଅଞ୍ଚଳରେ ଜଳବନ୍ଦୀ ହେବାର ସମ୍ଭାବନାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ଅଛନ୍ତି। ପରିସ୍ଥିତିର ଜବାବରେ ଜିଲା ପ୍ରଶାସନ ଲୋକଙ୍କୁ ସତର୍କ ରହିବା ପାଇଁ କହିଦେଇଛି।