ମାଲକାନଗିରିରେ ଗସ୍ତରେ ରେଳମନ୍ତ୍ରୀ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପର କରିବେ ସମୀକ୍ଷା
ମାଲାକାନଗିରି : ଆଜି ମାଲାକାନଗିରି ଜିଲା ଗସ୍ତ କରୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିପାଇଁ ଏକ ସ୍ୱତନ୍ତ୍ର ଟ୍ରେନରେ ବିଶାଖାପାଟଣାରୁ ଆସି କୋରାପୁଟ ରେଳ ଷ୍ଟେସନରେ ପହଂଚିଥିଲେ ରେଳମନ୍ତ୍ରୀ । ଷ୍ଟେସନରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବା ସହ କୋରାପୁଟ ବିଜେପି ଶାଖା ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ସିଧା ମାଲକାନଗିରି ଜିଲା ଅଭିମୁଖେ ବାହାରିଛନ୍ତି ରେଳମନ୍ତ୍ରୀ ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ମାଲକାନଗିରି ଗସ୍ତ କରୁଥିବାବେଳେ ଅର୍ଜୁନ ମୁଣ୍ଡା କଳାହାଣି, ପ୍ରହଲ୍ଲାଦ ସିଂ ପଟେଲ ଗଜପତି, ସାଧ୍ୱୀ ନିରଞ୍ଜନ ଜ୍ୟୋତି ବଲାଙ୍ଗିର, ସତ୍ୟପାଲ ସିଂ ବାଘେଲ ନୂଆପଡା ଜିଲା ଗସ୍ତ କରୁଛନ୍ତି । ଗତକାଲି ନବରଙ୍ଗପୁର ଜିଲାରେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ସମୀକ୍ଷା କରିଛନ୍ତି କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ । ସେହିପରି କେନ୍ଦ୍ରମନ୍ତ୍ରୀ ସୋମ ପ୍ରକାଶ ରାୟଗଡା ଓ ସୁବାସ ସରକାର କନ୍ଧମାଳ ଜିଲ୍ଲା ଗସ୍ତ କରୁଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ପଂଚାୟତ ଓ ପୌର ନିର୍ବାଚନ ଶେଷ ହେବା ପରେ କେନ୍ଦ୍ରମନ୍ତ୍ରୀ ମାନଙ୍କ ଏଭଳି ଗସ୍ତକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଆସୁଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । କାରଣ ମନ୍ତ୍ରୀଙ୍କ ଗସ୍ତରୁ ଦଳୀୟ କାର୍ଯ୍ୟକ୍ରମ ଭଳି ପାଳନ କରାଯାଉଛି । ସ୍ଥାନୀୟ ସାଂସଦ, ବିଧାୟକ ଓ ପ୍ରଶାସକଙ୍କ ସହ ମନ୍ତ୍ରୀଙ୍କ ସମୀକ୍ଷା କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ବିଜେପିର ସ୍ଥାନୀୟ ପ୍ରତିନିଧି । ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ନେତାଙ୍କ ଉପସ୍ଥିତିକୁ ସହଜରେ ହଜମ କରିପାରୁ ନାହାନ୍ତି ବିଜେଡି ଓ କଂଗ୍ରେସ ।