ଆଜି ଓଡ଼ିଶା ଆସିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ : ମହୀପୁର-ନୂଆଗାଁ ରୋଡ଼ ରେଳ ସେକ୍ସନର କରିବେ ଶୁଭାରମ୍ଭ
ଭୁବନେଶ୍ୱର : କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତାକାଲି (ଗୁରୁବାର) ଓଡ଼ିଶା ଗସ୍ତରେ ଆସିବେ ।ଏହି ଗସ୍ତ ସମୟରେ ଶ୍ରୀ ବୈଷ୍ଣବ ଖୋର୍ଦ୍ଧା ରୋଡ-ବାଲାଙ୍ଗୀର ପ୍ରକଳ୍ପ ଯାଂଚ କରିବେ ଏବଂ ନୂଆଗାଁ ରୋଡ ଷ୍ଟେସନରେ ମହିପୁର-ନୂଆଗାଁ ରୋଡ ରେଳ ସେକ୍ସନର ଶୁଭାରମ୍ଭ କରାଇବେ । ଏହା ସହିତ ମହିପୁର ଷ୍ଟେସନ ଠାରୁ ସେ ୦୮୪୨୯/୦୮୪୩୦ ଭୁବନେଶ୍ୱର-ମହୀପୁର-ଭୁବନେଶ୍ୱର ପାସେଞ୍ଜର ସ୍ପେସିଆଲ ଟ୍ରେନକୁ ନୂଆଗାଁ ରୋଡ ଷ୍ଟେସନ ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ଶୁଭାରମ୍ଭ କରିବେ । ସେହିପରି ବୋଲଗଡ ପାସେଞ୍ଜର ହଲଟ ଠାରେ ସେବା ଏକ୍ସପ୍ରେସର ରହଣୀକୁ ଏବଂ ନୂଆଗାଁ ରୋଡ ଠାରୁ ପୁରୀ ପର୍ଯ୍ୟନ୍ତ ନୂତନ ଟ୍ରେନ ଚଳାଚଳର ଘୋଷଣା କରିବେ ।
ସନ୍ଧ୍ୟାରେ ଶ୍ରୀ ବୈଷ୍ଣବ ଖୋର୍ଦ୍ଧା ରୋଡ ଷ୍ଟେସନ ଠାରେ ନୂତନ ଷ୍ଟେସନ ବିଲଡିଂର ଉଦଘାଟନ କରିବା ସହିତ ଭୁବନେଶ୍ୱର-ନୂଆଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସର ଏଲଏଚବି କୋଚ୍ ସହିତ ଚଳାଚଳକୁ ଶୁଭାରମ୍ଭ କରାଇବେ । ଏହା ବ୍ୟତୀତ ଖୋର୍ଦ୍ଧା ରୋଡ ଷ୍ଟେସନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରେଳମନ୍ତ୍ରୀ ପଟିଆ ଏବଂ ବାଣୀବିହାର ପାସେଞ୍ଜର ହଲଟର ନୂତନ ବିଲ୍ଡିଂର ଉଦଘାଟନ କରିବେ । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଖୋର୍ଦ୍ଧା ରୋଡ ଷ୍ଟେସନ ଠାରେ ଏହି ଅବସରରେ ଯୋଗଦାନ କରିବେ । ସାଂସଦ (ଲୋକସଭା) ଅଚ୍ୟୁତାନନ୍ଦ ସାମନ୍ତ, ବିଧାୟକ ରାଜେନ୍ଦ୍ର କୁମାର ସାହୁ ଏବଂ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ନୂଆଗାଁ ରୋଡ ଷ୍ଟେସନ ଠାରେ ଏବଂ ସାଂସଦ (ଲୋକସଭା) ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ସୁଶାନ୍ତ କୁମାର ରାଉତ ପ୍ରମୁଖ ଖୋର୍ଦ୍ଧା ରୋଡ ଷ୍ଟେସନ ଠାରେ ଏହି ଅବସରରେ ଯୋଗଦାନ କରିବେ ରେ ଏହି ଉତ୍ସବକୁ ଅନୁଗ୍ରହ ପ୍ରଦାନ କରିବେ । ଶ୍ରୀ ବୈଷ୍ଣବ ମଧ୍ୟ ପୁରୀ ଷ୍ଟେସନ ଠାରେ ଯାତ୍ରୀମାନଙ୍କ ସୁବିଧା ନୀରିକ୍ଷଣ କରିବା ସହିତ ରଥ ଯାତ୍ରା ପାଇଁ ଜନସାଧାରଣଙ୍କୁ ବିଭିନ୍ନ ସୁବିଧା ଗୁଡିକର ଶୁଭାରମ୍ଭ କରିବେ । ଏହି ସୁବିଧା ଗୁଡିକ ମଧ୍ୟରେ ତୀର୍ଥଯାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍, ପନ୍ଦର ହଜାର ତୀର୍ଥଯାତ୍ରୀଙ୍କ ପାଇଁ ଆଚ୍ଛାଦିତ ଆଶ୍ରୟସ୍ଥଳ, ଏକଜୁକେଟିଭ ଲାଉଞ୍ଜ, ମୋବାଇଲ୍ ଟିକେଟ୍ ସୁବିଧା, ବରିଷ୍ଠ ନାଗରିକ / ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡି ସୁବିଧା, ଫୁଡ କୋର୍ଟ ଏବଂ ନିରାଶ୍ରୟ ଲୋକଙ୍କ ପାଇଁ ମାଗଣା ଖାଦ୍ୟ ବ୍ୟବସ୍ଥା ଇତ୍ୟାଦି ରହିଛି ।