ଦୁଇଟି ବେଆଇନ କରତ କଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ
କୋଣାର୍କ : ଦୁଇଟି ବେଆଇନ କରତକଳ ଉପରେ ଚଢ଼ାଉ କରିଛି ଗୋପ ଜଙ୍ଗଲ ବିଭାଗ। ଗୋପ ରେଞ୍ଜର ପୂର୍ଣ୍ଣଚନ୍ଦ୍ର ସ୍ଵାଇଁଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ବେଆଇନ କରତକଳ ଯନ୍ତ୍ରାଂଶ ଓ କାଠ ମଧ୍ୟ ଜବତ କରାଯାଇଛି ।
ସୂଚନା ଯେ, ଗତ କିଛି ଦିନ ଧରି ଗୋପ ଜଙ୍ଗଲ ବିଭାଗ ଅଧିନରେ ୨୫ରୁ ଉର୍ଦ୍ଧ୍ଵ ବେଆଇନ୍ କରତକଳ ଚାଲୁଥିବା ଅଭିଯୋଗ ହୋଇଆସୁଥିଲା । ୧୫ ଦିନ ତଳେ ଏକ ଦଳିତ ସଙ୍ଗଠନ ପକ୍ଷରୁ ଗୋପ ଜଙ୍ଗଲ ବିଭାଗ ଅଧିନ ଅନ୍ତୁଆର, ତମ୍ପାଳ, ବାଲିକନ୍ଦଳ, ତୁଳସୀପୁର, ନିମାପଡ଼ା ସହିତ ଆଉ କେତେକ ସ୍ଥାନରେ ବେଆଇନ କରତକଳ ଉପରେ ଚଢ଼ାଉ କରାଯିବାକୁ ଦାବି କରାଯାଇଥିଲା । ଶେଷରେ ପୁରୀ ଜିଲ୍ଲା ଡିଫଓଙ୍କ ନିର୍ଦ୍ଦେଶରେ ଏହି ଚଢାଉ କରାଯାଇଥିବା ଜଣାପଡ଼ିଛି । କେତେକ ଜଙ୍ଗଲ ବିଭାଗ କର୍ମଚାରୀ ଓ ଅଧିକାରୀମାନେ ଚୋରା କରତକଳ ମାଲିକଙ୍କ ସହ ଭିତିରି ସଂପର୍କ ରଖି ସୂଚନା ଦେଉଥିବାରୁ କରତକଳ ମାଲିକମାନେ ଚଢ଼ାଉ ପୂର୍ବରୁ ଯନ୍ତ୍ରାଂଶ ଖୋଲି ଦେବା ଭଳି ଅଭିଯୋଗ ରହିଛି ।