ବଢ଼ୁଛି ରାହୁଲ ଗାନ୍ଧିଙ୍କ ଅଡ଼ୁଆ! ପୁଣି ଶୁକ୍ରବାର ଜେରା ପାଇଁ ସମନ କଲା ଇଡି
ନୂଆଦିଲ୍ଲୀ : ବଢ଼ୁଛି ରାହୁଲ ଗାନ୍ଧିଙ୍କ ଅଡ଼ୁଆ, ବଢ଼ୁଛି ଦେଶରେ ଆନ୍ଦୋଳନ । ନ୍ୟାସନାଲ ହେରାଲ୍ଡ ମାମଲାରେ ଫସିଥିବା ରାହୁଲ ଗାନ୍ଧିଙ୍କ ପିଛା ଛାଡ଼ୁନି ଇଡି । କ୍ରମାଗତ ୩ ଦିନ ଧରି ରାହୁଲଙ୍କୁ ପ୍ରାୟ ୩୦ ଘଣ୍ଟା ଜେରା କରିଥିଲେ ମଧ୍ୟ ଇଡିର ମନ ବୁଝିନାହିଁ। ତାଙ୍କୁ ପୁଣି ଜେରା କରିବାକୁ ସମନ ଜାରି କରିଛି । ଶୁକ୍ରବାର ଦିନ ୧୧ଟା ବେଳକୁ ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ହାଜର ହେବାକୁ ଇଡି ନୋଟିସ କରିଛି। ସୋମବାର ୯ ଘଣ୍ଟା, ମଙ୍ଗଳବାର ୧୦ ଘଣ୍ଟା ଓ ବୁଧବାର ମଧ୍ୟ ପ୍ରାୟ ୧୦ ଘଣ୍ଟା ଧରି ରାହୁଲଙ୍କୁ ନ୍ୟାଶନାଲ ହେରାଲ୍ଡ ଓ ୟଙ୍ଗ ଇଣ୍ଡିଆ କମ୍ପାନୀରେ ଥିବା ତାଙ୍କ ଭୂମିକା ସମ୍ପର୍କରେ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲା ଇଡି। ଏହାସହ ରାହୁଲଙ୍କ ଅଡିଓ ଓ ଭିଡିଓ ମଧ୍ୟ ଇଡିର ୩ ଜଣିଆ ଟିମ୍ ରେକର୍ଡ କରିଛନ୍ତି। ଏହା ସତ୍ତ୍ୱେ ମଧ୍ୟ ଆଉ କିଛି ପ୍ରଶ୍ନ ବଳି ପଡ଼ିଛି। ତେଣୁ ତାଙ୍କୁ ଶୁକ୍ରବାର ହାଜର ହେବାକୁ କୁହାଯାଇଛି।
ସେପଟେ ଗାନ୍ଧି ପରିବାର ପ୍ରତି ଏହା ସମ୍ପୂର୍ଣ୍ଣ ଅନ୍ୟାୟ କରାଯାଉଥିବା ଅଭିଯୋଗ କରିଛି କଂଗ୍ରେସ । ରାହୁଲଙ୍କୁ ପ୍ରତିଦିନ ଇଡି ଏପରି ବସାଇ ଜେରା କରୁଥିବାରୁ ଏହାକୁ ବିରୋଧ କରାଯାଉଛି । ରାହୁଲଙ୍କୁ ପ୍ରତିଦିନ ଇଡି ଦୀର୍ଘ ଘଣ୍ଟା ବସାଇ ଜେରା କରୁଛି । ରାହୁଲଙ୍କ ଜେରାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ବିକ୍ଷୋଭ କରୁଥିବା ବେଳେ ଦିଲ୍ଲୀ ପୁଲିସ୍ର କର୍ମଚାରୀମାନେ ଦଳର ମୁଖ୍ୟାଳୟରେ ପଶି ଠେଲାପେଲା କରିଛନ୍ତି। ଏହା ବିରୋଧରେ କଂଗ୍ରେସ କର୍ମୀ ଓ ନେତାମାନେ ଆଜି ଦେଶରେ ଥିବା ସମସ୍ତ ରାଜଭବନ ଘେରାଉ କରିଛନ୍ତି । ସେହିପରି ଦିନକ ପରେ ଜିଲ୍ଲା ସଦର ମହକୁମାରେ ମଧ୍ୟ ଦଳ ସମସ୍ତ କେନ୍ଦ୍ରୀୟ ଅଫିସ ଗୁଡ଼ିକ ଆଗରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି। ଏହାବାଦ ଆଜି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଇଡିର କାର୍ୟ୍ୟକଳାପ ଉପରେ ହସ୍ତକ୍ଷେପ କରିବାକୁ ଚିଠି ଲେଖିଛନ୍ତି। ରାହୁଲ ଗାନ୍ଧି ଜଣେ ସାଂସଦ ହୋଇଥିବା ବେଳେ ତାଙ୍କୁ ଇଡି ବାରମ୍ବାର ଡାକି ଅମାନବୀୟ ବ୍ୟବହାର କରୁଥିବାରୁ ସେ ବାଚସ୍ପତିଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।
ସେପଟେ ଏହାମଧ୍ୟରେ ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ କଂଗ୍ରେସ ବୋଲି ଜଣାପଡ଼ିଛି । ତେବେ ଗତକାଲି ଦିନ ପ୍ରାୟ ୧୧.୩୫ ରାହୁଲ ଗାନ୍ଧି ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ଜେଡ ପ୍ଲସ ସୁରକ୍ଷା ମଧ୍ୟରେ ଏପିଜେ ଅବଦୁଲ କଲାମ ମାର୍ଗରେ ଥିବା ଇଡି ମୁଖ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଠିକ୍ ୧୨ ଟା ବେଳକୁ ଜେରା ଆରମ୍ଭ କରାଯାଇଥିଲା। ତାଙ୍କ ବୟାନକୁ ଉଭୟ ଅଡିଓ ଓ ଭିଡିଓ ରେକର୍ଡିଂ କରାଯାଇଛି। ସେହିପରି ଏ୪ କାଗଜରେ ମଧ୍ୟ ରାହୁଲ କହୁଥିବା କଥା ଗୁଡ଼ିକୁ ଟାଇପ କରି ରଖାଯାଇଛି। ପ୍ରାୟ ୩ ଘଣ୍ଟାର ଜେରା ପରେ ରାହୁଲଙ୍କୁ ଲଞ୍ଚ ବ୍ରେକରେ ଛଡ଼ା ଯାଇଥିଲା। ସେ ପୁଣି ଅପରାହ୍ନ ୪ଟାରେ ଇଡି କାର୍ୟ୍ୟାଳୟରେ ପହଞ୍ଚିଥିଲେ। ଏହି ପର୍ୟ୍ୟାୟରେ ତାଙ୍କୁ ପ୍ରାୟ ସାଢ଼େ ୬ ଘଣ୍ଟାରୁ ଅଧିକ ସମୟ ଜେରା କରାଯାଇଥିଲା। ସେ ଇଡି କାର୍ୟ୍ୟାଳୟରୁ ବାହାରିବା ବେଳେ ତାଙ୍କୁ ଗୁରୁବାର ଛାଡ଼ି ଶୁକ୍ରବାର ପୁଣି ହାଜର ହେବାକୁ କୁହାଯାଇଛି। ରାହୁଲ ଗାନ୍ଧିଙ୍କୁ ଘନ ଘନ ଜେରା । ରାହୁଲଙ୍କ ଉପରେ ଜାଣିଶୁଣି ବିଜେପି ସରକାର ଏପରି କରୁଥିବା ଅଭିଯୋଗ ଆଣିଛି କଂଗ୍ରେସ । ଯାହାକୁ ନେଇ ପୂରା ଦେଶରେ ଏବେ ଆନ୍ଦୋଳନ ଦେଖିବାକୁ ମିଳିଛି । ଗୋଟିଏ ପଟେ ନୂପୁର ଶର୍ମାଙ୍କ ବୟାନକୁ ନେଇ ନେଇ ବିଭିନ୍ନ ସ୍ଥାନରେ ଦଙ୍ଗା ଭଳି ପରିସ୍ଥିତି ହୋଇଥିବା ବେଳେ ଏପଟେ କଂଗ୍ରେସ ନେତାଙ୍କ ଜେରାକୁ ନେଇ ଆନ୍ଦୋଳନ । ତେବେ ଆଗକୁ କେତେ ଦିନ ଧରି ଏହି ଆନ୍ଦୋଳନ ଜାରି ରହିବ ଦେଖିବାକୁ ବାକି ରହିଲା ।