ଆଜି ପୁଣି ଇଡିରେ ହାଜର ହେବେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହ ଜଡିତ ଅର୍ଥ ହେରଫେର ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜେରା କରୁଛି ଇଡି। ତୃତୀୟ ଦିନରେ ତାଙ୍କୁ ପ୍ରାୟ ସାଢ଼େ ୮ ଘଣ୍ଟା ଧରି ପଚରାଉଚରା କରିଥିଲା ଏଜେନ୍ସି । ତିନି ଦିନରେ ରାହୁଲଙ୍କୁ ପାୟ ୩୦ ଘଣ୍ଟା ପଚରା-ଉଚରା କରାଯାଇଛି । ଶୁକ୍ରବାର ଦିନ ଏଜେନ୍ସି ତାଙ୍କୁ ପୁଣି ଥରେ ଡାକିଥିବା ସୂଚନା ମିଳିଛି।
ଅନୁସନ୍ଧାନକାରୀ ସଂସ୍ଥା ରାହୁଲ ଗାନ୍ଧିଙ୍କୁ ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ଏବଂ ଏହାର ମାଲିକାନା କମ୍ପାନୀ ୟଙ୍ଗ ଇଣ୍ଡିଆ ସମ୍ବନ୍ଧୀୟ ନିଷ୍ପତ୍ତିରେ ତାଙ୍କର ବ୍ୟକ୍ତିଗତ ଭୂମିକା ଉପରେ ପ୍ରଶ୍ନ କରିଛି। ରାହୁଲ ପ୍ରଥମ ଦିନ ବୁଧବାର ସକାଳ ପ୍ରାୟ ୧୧.୩୫ ସମୟରେ କେନ୍ଦ୍ରୀୟ ଦିଲ୍ଲୀର ଏପିଜେ ଅବଦୁଲ କଲାମ ରୋଡରେ ଅବସ୍ଥିତ ଇଡି ମୁଖ୍ୟାଳୟରେ ପହଞ୍ଚିଥିଲେ। ତାଙ୍କ ସହ ତାଙ୍କ ଭଉଣୀ ତଥା କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଉପସ୍ଥିତ ରହିଥିଲେ । ଇଡି ଅଧିକାରିଙ୍କ ସୂଚନା ମୁତାବକ ତିନି ଦିନିଆ ପଚରାଉଚରା ବେଳେ ରାହୁଲ ଗାନ୍ଧୀଙ୍କ ବିବୃତ୍ତିର ଅଡିଓ ଏବଂ ଭିଡିଓ ରେକର୍ଡିଂ କରାଯାଇଥିଲା। ଏଥିସହ ତାଙ୍କ ବିବୃତ୍ତି ଏ୪ ସାଇଜ୍ କାଗଜରେ ଟାଇପ୍ ମଧ୍ୟ କରାଯାଇଛି ଓ ପ୍ରତ୍ୟେକ ମିନିଟରେ ତାଙ୍କର ଦସ୍ତଖତ ନିଆଯାଇଛି । ଅନୁସନ୍ଧାନକାରି ସଂସ୍ଥା ସୂତ୍ରରୁ ପ୍ରକାଶ, ଏଜିଏଲର ମାଲିକାନାରେ ପ୍ରାୟ ୮୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ରହିଛି, କିନ୍ତୁ ଏକ ଅଣ-ଲାଭକାରୀ କମ୍ପାନୀ ‘ୟଙ୍ଗ ଇଣ୍ଡିଆ’ କିପରି ଏହାର ଜମି ଏବଂ ସମ୍ପତ୍ତି ହାସଲ କରୁଛି ତାହା ଉପରେ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ ପଚରାଯାଉଛି।
କଂଗ୍ରେସ ଦାବି କରିଛି ଯେ ଏହି ମାମଲାରେ କୌଣସି ଏଫ୍ଆଇଆର୍ ନାହିଁ ଏବଂ ଏହା ଏମିତି ଏକ ଅପରାଧ ନୁହେଁ ଯାହା ଆଧାରରେ ମନି ଲଣ୍ଡରିଂ ଆକ୍ଟରେ ମାମଲା ପଞ୍ଜୀକୃତ ହୋଇ ରାହୁଲ ଗାନ୍ଧୀ-ସୋନିଆ ଗାନ୍ଧୀଙ୍କୁ ଡକାଯିବ । ଅଧିକାରୀଙ୍କ କହିବା ମୁତାବକ ଆୟକର ମାମଲାରେ ଭାରତୀୟ ଦଣ୍ଡବିଧି ସଂହିତା ୧୨୦ (ଅପରାଧିକ ଷଡଯନ୍ତ୍ର) ଏବଂ ୪୨୦ (ପ୍ରତାରଣା) ପ୍ରଯୁଜ୍ୟ ଯେଉଁଥିପାଇଁ ଇଡି ଅର୍ଥ ହେରଫେର ମାମଲା ଦାୟର କରିପାରିବ ।