ରାହୁଲ ଡ୍ରାଭିଡ୍ଙ୍କୁ ବିଶ୍ରାମ, ଟିମ ସହ ନ୍ୟୁଜିଲ୍ୟାଣ୍ଡ ଯିବେ ଲକ୍ଷ୍ମଣ
ମୁମ୍ବାଇ: ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ୍ଙ୍କୁ ବିଶ୍ରାମ ଦେବାକୁ ନିଷ୍ପତି ନେଇଛି ବିସିସିଆଇ । ବର୍ତମାନ ଟି-୨୦ ବିଶ୍ୱକପରେ ଭାରତୀୟ ଟିମ୍ର କୋଚିଂ ଦାୟିତ୍ୱ ସମ୍ଭାଳିଥିବା ଡ୍ରାଭିଡ ଅଷ୍ଟ୍ରେଲିଆରୁ ସିଧା ଭାରତକୁ ଫେରିବେ । ତାଙ୍କ ବଦଳରେ ନ୍ୟାଶନାଲ କ୍ରିକେଟ ଏକାଡେମୀର ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଭାରତୀୟ ଟିମ ସହ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ । ସେ ନ୍ୟୁଜିଲ୍ୟାଣ୍ଡରେ ଭାରତୀୟ ଟିମର କାମଚଳା ମୁଖ୍ୟ କୋଚ ଦାୟିତ୍ୱରେ ରହିବେ । ନଭେମ୍ବର ୧୮ରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ଟି ଟି-୨୦ ଓ ସମାନ ସଂଖ୍ୟକ ୩ ଦିନିକିଆ ମ୍ୟାଚ ଖେଳାଯିବ । ୱେଲିଙ୍ଗଟନ୍ରୁ ଏହି ସୀମିତ ଓଭର ସିରିଜ ଆରମ୍ଭ ହେବ । ନ୍ୟୁଜିଲ୍ୟାଣ୍ଡ ଟୁରରେ ରୋହିତ ଶର୍ମା, ବିରାଟ କୋହଲି, ଓପନର କେଏଲ ରାହୁଲ ଓ ରବି ଚନ୍ଦ୍ରନ ଅଶ୍ୱିନ ଯିବେନାହିଁ । ଏମାନଙ୍କୁ ବିଶ୍ରାମ ଦେବାକୁ ବିସିସିଆଇ ନିଷ୍ପତି ନେଇଛି । ଏବେ ରାହୁଲ ଡ୍ରାଭିଡ୍ଙ୍କ ସହ ଟିମ ଇଣ୍ଡିଆର ବ୍ୟାଟିଂ କୋଚ୍ ଓ ବୋଲିଂ କୋଚ୍ଙ୍କୁ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ଟୁରରେ ବିସିସିଆଇ ଛାଡ଼ିବ ନାହିଁ । ଲକ୍ଷ୍ମଣ ମୁଖ୍ୟ କୋଚ୍ ଭାବେ ଦଳ ସହ ଯିବାକୁ ଥିବା ବେଳେ ହୃଷିକେଶ କାନିତକର ବ୍ୟାଟିଂ କୋଚ ଓ ସାଇରାଜ ବାହୁତୁଲେ ବୋଲିଂ କୋଚ ଭାବେ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବେ ।
ଲକ୍ଷ୍ମଣ ପ୍ରଥମଥର ପାଇଁ ଭାରତୀୟ ଟିମର କାମଚଳା କୋଚ ବନି ନାହାନ୍ତି । ପୂର୍ବରୁ ସେ ଜିମ୍ବାୱେ ଓ ଆୟର୍ଲ୍ୟାଣ୍ଡ ବିପକ୍ଷ ସିରିଜ୍ରେ ଭାରତର କୋଚ ସାଜିଥିଲେ । ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ରେ ମଧ୍ୟ ମୁଖ୍ୟ କୋଚ୍ ଭାବେ ଲକ୍ଷ୍ମଣଙ୍କୁ ଦେଖିବାକୁ ମିଳିଥିଲା । ଏବେ ସେ ପୁଣିଥରେ ଭାରତୀୟ ଟିମର କୋଚ ସାଜିଛନ୍ତି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ରେ ଭାରତୀୟ ଟିମ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ । ସେହିପରି ଶିଖର ଧୱନ ଦିନିକିଆରେ ଦଳର କମାଣ ସମ୍ଭାଳିବେ ।