ଇତିହାସ ରଚିଲେ ସିନ୍ଧୁ, ସୁଇସ ଓପନ ସୁପର ୩୦୦ ଟୁର୍ଣ୍ଣାମେଣ୍ଟର ଟାଇଟଲ ହାସଲ
ନୂଆଦିଲ୍ଲୀ : ସୁଇସ ଓପନରେ ଇତିହାସ ରଚିଲେ ଭାରତର ମହିଳା ବ୍ୟାଡ଼ମିଣ୍ଟନ ତାରକା ପି.ଭି. ସିନ୍ଧୁ । ସୁଇସ ଓପନ ସୁପର ୩୦୦ ଟୁର୍ଣ୍ଣାମେଣ୍ଟର ଟାଇଟଲ ହାସଲ କଲେ ସିନ୍ଧୁ । ରବିବାର ଫାଇନାଲ ମ୍ୟାଚରେ ଥାଇଲ୍ୟାଣ୍ଡର ବୁସାନନ ଓଙ୍ଗବମରୁଙ୍ଗଫାନଙ୍କୁ ପରାସ୍ତ କରି ଚଳିତ ସେସନର ଦ୍ୱିତୀୟ ଟାଇଟଲ ନିଜ ନାଁରେ କରିଛନ୍ତି। ଏହା ପୂର୍ବରୁ ଜାନୁଆରୀ ମାସରେ ସାୟେଦ ମୋଦୀ ଅନ୍ତର୍ଜାତୀୟ ଟାଇଟଲ ହାସଲ କରିଥିଲେ।
ଟୁର୍ଣ୍ଣାମେଣ୍ଟରେ ଲାଗାତର ନିଜର ଦ୍ୱିତୀୟ ଫାଇନାଲ ଖେଳୁଥିବା ପି.ଭି.ସିନ୍ଧୁ ପ୍ରଥମ ଗେମରେ ୨୧-୧୬ରେ ନିଜ ନାଁରେ କରିଥିଲେ। ଏହାପରେ ଦ୍ୱିତୀୟ ଗେମକୁ ଏକତରଫା ୨୧-୮ ଜିତି ସିଧା ଗେମରେ ବିଜୟୀ ହୋଇଥିଲେ। ବୁସାନନ ବିପକ୍ଷରେ ଏହାଥିଲା ସିନ୍ଧୁଙ୍କ ୧୬ତମ ବିଜୟ । ଦୁହେଁ ୧୭ଥର ମୁହାଁମୁହିଁ ହୋଇଥିବା ବେଳେ ବୁସାନନ କେବଳ ଥରେ ବିଜୟୀ ହୋଇଛନ୍ତି। ୨୦୧୯ରେ ହଂକଂ ଓପନରେ ବୁସାନନ ସିନ୍ଧୁଙ୍କୁ ହରାଇଥିଲେ। ଏହା ପୂର୍ବରୁ ସିନ୍ଧୁ ଥାଇଲ୍ୟାଣ୍ଡର ସୁପାନିଦା କାଟେଥୋଙ୍ଗଙ୍କୁ ସେମିଫାଇନାଲରେ ୨୧-୧୮,୧୫-୨୧, ୨୧-୧୯ରେ ପରାସ୍ତ କରିଥିଲେ। ୭୯ ମିନିଟ ଧରି ଚାଲିଥିଲା ଏହି ମ୍ୟାଚ୍।