ଜେଲେନସ୍କିଙ୍କୁ ଧମକ ଦେଲେ ପୁଟିନ
ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ମାସେ ପୁରିଲାଣି । ଏହି ଯୁଦ୍ଧରେ ଋଷୀୟ ସୈନିକ ୟୁକ୍ରେନର ଅନେକ ବଡ଼ ସହରକୁ ନଷ୍ଟଭ୍ରଷ୍ଟ କରି ଦେଇଥିବାର ଭିଡିଓ ଓ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଅନ୍ୟପଟେ ଋଷ ରାଷ୍ଟ୍ରପତି ବ୍ଲାଦମିର ପୁଟିନ ପୂର୍ବପେକ୍ଷା ଆହୁରି ଶକ୍ତ ରୂପ ଧାରଣ କରିଛନ୍ତି ।
ନିକଟରେ ଋଷୀୟ ଅଣଅଧିକାରୀକ ଶାନ୍ତି ବାର୍ତ୍ତାକାର ରୋମନ ଅବ୍ରାମୋବିଚ ରାଷ୍ଟ୍ରପତି ପୁତିନଙ୍କୁ ଭେଟିଥିଲେ । ଏହି ସମୟରେ ରୋମନ ପୁତିନଙ୍କୁ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କିଙ୍କ ହାତଲେଖା ଶାନ୍ତି ପ୍ରସ୍ତାବ ଚିଠି ଦେଇଥିଲେ । ଏହାର ଜବାବରେ ମୁଁ ଜେଲେନସ୍କିଙ୍କୁ ବରବାଦ କରିଦେବି ବୋଲି ପୁତିନ କହିଥିଲେ ।
ଦି ଟାଇମ୍ସର ରିପୋର୍ଟ ଅନୁସାରେ, ଉକ୍ତ ଚିଠିରେ ଯୁଦ୍ଧ ରୋକିବା ପାଇଁ ନିଜ ସର୍ତ୍ତ ବିଷୟରେ ଜେଲେନସ୍କି ବିସୃତ ଭାବେ ଉପସ୍ଥାପନ କରିଥିଲେ । ଉଭୟ ଦେଶ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଏବେ ୟୁକ୍ରେନ ରାଷ୍ଟ୍ରପତି ନରମିବାକୁ ଲାଗିଲେଣି । ସେ ଋଷ ରାଷ୍ଟ୍ରପତିଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ । ଏଥିସହିତ ଆଲୋଚନା ମାଧ୍ୟମରେ ଆମେ ଯୁଦ୍ଧ ଶେଷ କରିବାକୁ ଚେଷ୍ଟା କରିବୁ ବୋଲି ଜେଲେନସ୍କି କହିଥିଲେ ।