ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂ ଧାମି
![](https://thetruths.in/wp-content/uploads/2022/03/CM-Pushkar-Singh-Dhami.jpg)
ଡ଼େରାଡୁନ : ପୁଷ୍କର ସିଂ ଧାମି ଲଗାତାର ଦ୍ୱିତୀୟ ଥର ପାଇଁ ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ବୁଧବାର ପ୍ୟାରେଡ଼ ଗ୍ରାଉଣ୍ଡର ରାଜ୍ୟପାଳ ଲେପ୍ଟନାଂଟ ଜେନେରାଲ ଗୁରୁମିତ ସିଂ ସୈନୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ତାଙ୍କ ସହ ଆଠଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦଳର ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ମନ୍ତ୍ରୀ ନିତୀନ ଗଡ଼କରୀ ଏବଂ ଅନ୍ୟାନ୍ୟ ନେତା ଉପସ୍ଥିତ ଥିଲେ ।
ବୁଧବାର ଅପରାହ୍ନରେ ରାଜଧାନୀର ପ୍ୟାରେଡ଼ ଗ୍ରାଉଣ୍ଡରେ ଆୟୋଜିତ ଏହି ଶପଥ ଗ୍ରହଣ ସମାରୋହ ଜାତୀୟ ସଂଗୀତରୁ ଆରମ୍ଭ ହୋଇଥିଲା । ଏହା ପରେ ରାଜ୍ୟପାଳ ଜେନେରାଲ ଗୁରୁମିତ ସିଂ ପୁଷ୍କର ସିଂ ଧାମିଙ୍କୁ ଉତରାଖଣ୍ଡର ଦ୍ୱାଦଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରାଇଥିଲେ । ଏହା ପରେ ମନ୍ତ୍ରୀମାନେ ଶପଥ ଗ୍ରହଣ କରିଥିଲେ । ପାରମ୍ପରିକ ପୋଷାକରେ ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରେଖା ଆର୍ଯ୍ୟ ଶପଥ ଗ୍ରହଣ କରିଥିଲେ । ପ୍ରେମଚାନ୍ଦ ଅଗ୍ରୱାଲ ସଂସ୍କୃତରେ ଶପଥ ଗ୍ରହଣ କରିଥିଲେ । ଏମାନଙ୍କ ବ୍ୟତୀତ ସତ୍ୟପାଲ ମହାରାଜ, ଗଣେଶ ଯୋଷୀ, ସୁଭୋଦ ୟୁନିୟାଲ, ସୌରଭ ବାହୁଗୁଣା, ଡକ୍ଟର ଧନ ସିଂ ରାୱତ, ଚନ୍ଦନ ରାମ ଦାସ ଶପଥ ଗ୍ରହଣ କରିଥିଲେ । ନୂତନ କ୍ୟାବିନେଟରେ ପୁରୁଣା ଏବଂ ନୂତନ ଚେହେରାର ମିଶ୍ରଣ ରହିଛି । ସୌରଭ ବହୁଗୁଣା ଏବଂ ଚନ୍ଦନ ରାମ ଦାସଙ୍କୁ ମଧ୍ୟ ଏହି କ୍ୟାବିନେଟରେ ନୂତନ ଚେହେରା ଭାବରେ ଅନ୍ତର୍ଭୁକ୍ତ କରାଯାଇଛି ।