ଆଜି ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ : ପୁରୀ ଶ୍ରୀମନ୍ଦିରରେ ଆଜି ୫ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ। ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଯୋଗୁ ବନ୍ଦ ରହିବ ଦର୍ଶନ। ଅପରାହ୍ଣ ୩ଟାରୁ ରାତି ୮ଟା ଯାଏ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରଖାଯିବ। ଭୋଗମଣ୍ଡପ ଭୋଗ ଶେଷ ହେବାପରେ ବନ୍ଦ ହେବ ଦର୍ଶନ।
ଶ୍ରୀ ଜଗନ୍ନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ ଆାଜିର ନୀତି ସମ୍ପର୍କରେ ଜାଣି ରଖନ୍ତୁ। ଆଜି ଶ୍ରୀଜିଉଙ୍କୁ ରାହୁରେଖା ଲାଗି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କୁ କୋପ ଦୃଷ୍ଟିରୁ ରକ୍ଷା କରିବା ଲାଗି ଏହି ରେଖା ଲାଗି କରାଯାଉଥିବା ବିଶ୍ବାସ ରହିଛି । ତେଣୁ ସୋମବାର ଦିନ ଶ୍ରୀମନ୍ଦିରରେ ଦୀର୍ଘ ୫ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ । ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ନୀତି ଅନୁଷ୍ଠିତ ହୋଇଥାଏ । ପ୍ରଥମ ଭୋଗ ମଣ୍ତପ ନୀତି ଶେଷ ହେବା ପରେ ମହାବାହୁଙ୍କ ଏହି ଗୁପ୍ତ ନୀତି କରାଯିବ । ତେବେ ଏହି ଗୁପ୍ତ ନୀତି ଅପରାହ୍ନ ୩ଟାରୁ ରାତି ୮ଟା ଯାଏଁ ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଯୋଗୁଁ ସୋମବାର ଦିନ ପ୍ରାୟ ୫ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ । ସ୍ନାନ ପୂର୍ଣ୍ଣିମା ଦିନଠାରୁ ମହାପ୍ରଭୁଙ୍କ ଠାରୁ ଓଲାଗି ହୋଇଥିବା ସୂର୍ଣ୍ଣି ନିର୍ମିତ ରାହୁରେଖା ଅଳଙ୍କାରକୁ ପୁନର୍ବାର ମହାପ୍ରଭୁଙ୍କ ଶ୍ରୀମୁଖ ଚତୁଃପାର୍ଶ୍ବରେ ଲାଗି କରାଯିବ । ସ୍ନାନପୂର୍ଣ୍ଣିମା ଦିନ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଥଣ୍ତା ଓ ଜ୍ବରରେ ପୀଡ଼ିତ ହୋଇଥାଆନ୍ତି ଶ୍ରୀଜିଉ । ଫଳରେ ତାଙ୍କ ଶ୍ରୀମୁଖରୁ ରାହୁରେଖାକୁ କାଢି ଦିଆଯାଇଥାଏ । ତେବେ ଆଜି ଦେଉଳକରଣ, ତଢଉ କରଣ, ଭଣ୍ତାର ଘରୁ ରାହୁରେଖାକୁ କଢାଯିବ । ପ୍ରଥମେ ଭୋଗ ମଣ୍ତପ ସରିବା ପରେ ପୁଷ୍ପାଳକ ସେବାୟତ ଝୋବାକଣ୍ଠି, ମଇଲମ କରିବା ସହ ମହାଜନ ସେବାୟତମାନେ ଭୂଦେବୀ ଓ ଶ୍ରୀଦେବୀଙ୍କୁ ଖଟଶେଜ ଘରେ ବିରାଜମାନ କରାଇବେ । ଏହାପରେ ପତି ମହାପାତ୍ର ସେବାୟତ ଏହି ରାହୁରେଖାକୁ ସଂସ୍କାର କରିସାରିବା ପରେ ୪ ବାଡ଼ର ବାଡ଼ଗ୍ରାହୀ ଓଷୁଅ ଓ କନା ଦ୍ବାରା ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖରେ ରାହୁରେଖାକୁ ଲାଗି କରାଇବେ ।