ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କଲେ ପଞ୍ଜାବ ସରକାର
ଚଣ୍ଡିଗଡ଼ : କରୋନା ସଂକ୍ରମଣ ବଢୁଥିବାରୁ ପଞ୍ଜାବର ଆମ୍ ଆଦମୀ ପାର୍ଟି ସରକାର ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ପଞ୍ଜାବ ସରକାର ଏକ ବିବୃତ୍ତି ଜାରି କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏଥିରେ କୁହାଯାଇଛି ଯେ କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି। ଜନଗହଳି ପୂର୍ଣ୍ଣ ସ୍ଥାନରେ ଫେସ୍ ମାସ୍କ ଲଗାଇବା ଜରୁରୀ ।
ସାଧାରଣ ପରିବହନ, ଟ୍ରେନ୍ ଏବଂ ଟ୍ୟାକ୍ସି ବ୍ୟବହାର କରିବା ସମୟରେ ମଧ୍ୟ ମାସ୍କ ପିନ୍ଧିବାକୁ ପଡିବ । ଏହାଛଡ଼ା ଶ୍ରେଣୀଗୃହ ଏବଂ କାର୍ଯ୍ୟାଳୟରେ ମାସ୍କ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ତେବେ ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ ସମ୍ପର୍କରେ ପଞ୍ଜାବ ସରକାରଙ୍କ ବିବୃତିରେ କିଛି ଉଲ୍ଲେଖ କରାଯାଇ ନାହିଁ । ସୂଚନା ଯେ, ପଞ୍ଜାବରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୧୦୦ ଟପିଛି । ପୂର୍ବରୁ ଉତ୍ତର ପ୍ରଦେଶ, ହରିୟାଣା ଓ ଦିଲ୍ଲୀରେ ମଧ୍ୟ ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି ।