କ୍ୟାନସର ପୀଡ଼ିତଙ୍କୁ ଆର୍ଥିକ ସହାୟତା ପ୍ରଦାନ

ନୀଳଗିରି : ଜଣେ ଦୁରାରୋଗ୍ୟ କ୍ୟାନସର ପୀଡ଼ିତଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ନୀଳଗିରିର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଶିଶିର ମହାପାତ୍ର ଫାଉଣ୍ଡେସନ ଏବଂ ସ୍ୱର୍ଣଚୁଡ଼ ଯୁବ ମହୋତ୍ସବ କମିଟି। ଶ୍ୟାମସୁନ୍ଦରପୁର ପଞ୍ଚାୟତ ରାଉଳଖୁଣ୍ଟା ଗ୍ରାମର ଦିବାକର ମହାନ୍ତିଙ୍କ ୧୭ବର୍ଷର ପୁଅ ଶୁଭଙ୍କର ରକ୍ତ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଦିବାକର ଜଣେ ଦିନ ମଜୁରିଆ ହୋଇଥିବା ବେଳେ ଏଭଳି ଖର୍ଚ୍ଚବହୁଳ ଦୁରାରୋଗ୍ୟ ରୋଗକୁ ଚିକିତ୍ସା କରିବା ତାଙ୍କପାଇଁ ସମ୍ଭବ ନୁହେଁ। ତେଣୁ ଖବର ପ୍ରସାରଣ ପରେ କିଛି କିଛି ଅନୁଷ୍ଠାନ ଏବଂ ବଦାନ୍ୟ ବ୍ୟକ୍ତି ସାହାଯ୍ୟ ସହଯୋଗର ହାତ ବଢ଼ାଇଥିବାରୁ ଏପର୍ଯ୍ୟନ୍ତ ପିଲାଟିର ଚିକିତ୍ସା ଚାଲିଛି।
ତେବେ ନୀଳଗିରିର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶିଶିର ମହାପାତ୍ର ଫାଉଣ୍ଡେସନ ଏବଂ ସ୍ୱର୍ଣଚୁଡ ଯୁବ ମହୋତ୍ସବ କମିଟିର ସଦସ୍ୟ ମାନେ ଯୁବ ସମାଜସେବୀ ସବ୍ୟସାଚୀ ମହାପାତ୍ରଙ୍କ ନେତୃତ୍ବରେ ଆଜି ଦିବାକରଙ୍କର ରାଉଳଖୁଣ୍ଟା ସ୍ଥିତ ବାସଭବନରେ ପହଞ୍ଚି ୧୧ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହିତ ଉକ୍ତ ପରିବାରକୁ କିଛିକିଛି ଆର୍ଥିକ ଓ ମାନସିକ ସହାୟତା ପ୍ରଦାନ କରିବାକୁ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କୁ ଅନୁରୋଧ କରିଛନ୍ତି ସବ୍ୟସାଚୀ। ଯାହାଫଳରେ ପିଲାଟି ତା ପୂର୍ବ ଅବସ୍ଥାକୁ ଫେରିପାରିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରତାପ ସେଠୀ, ସଞ୍ଜୟ ମହାନ୍ତି, ଚିନ୍ମୟ ଶରଣ ରାଉତ, ସାଇରାମ ବାପୁ, ନିଗମ ରାଉତ, ସନ୍ତୋଷ କୁମାର ମହାପାତ୍ର , ଦୟାନିଧି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏଭଳି ସହଯୋଗ ପାଇଁ ପରିବାର ସହିତ ଅଞ୍ଚଳବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଯାଇଛି।