ଓଡ଼ିଶାକୁ ନେଇ ଗର୍ବ କରେ : ରାଷ୍ଟ୍ରପତି
ଭୁବନେଶ୍ୱର : ଓଡ଼ିଶାର ଭବିଷ୍ୟତ ପାଇଁ ଏହି ମାଟିର ଝିଅ ଭାବେ ମୁଁ ଅନେକ ସ୍ୱପ୍ନ ଦେଖିଛି ଓ ଓଡିଶାକୁ ନେଇ ମୁଁ ଗର୍ବ ଅନୁଭବ କରେ । ଓଡିଶା ତାର ମାନବ ସମ୍ବଳ ପାଇଁ ସାରା ବିଶ୍ୱରେ ପରିଚିତ । ଯଦି ପ୍ରାକୃତିକ ସମ୍ବଳର ଉଚିତ ବ୍ୟବହାର କରାଯିବ ତେବେ ଓଡିଶା ଭାରତରେ ଏକ ବିକଶିତ ରାଜ୍ୟ ହୋଇ ପାରିବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । ରାଜଭବନ ଠାରେ ଏକ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଛନ୍ତି ।
ସେ କହିଛନ୍ତି ଯେ ଓଡିଶାକୁ ପ୍ରକୃତିର ବରଦାନ ମିଳିଛି । ଓଡିଶାର ଲମ୍ବା ଉପକୂଳ ରହିଛି, ରାଜ୍ୟ ଖଣିଜ, ବନ ଓ ଜଳ ସମ୍ପଦରେ ସମୃଦ୍ଧ ରାଜ୍ୟ । ସେ କହିଛନ୍ତି ଯେ ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛୁ ଓ ୨୫ ବର୍ଷ ପରେ ସ୍ୱାଧୀନତାର ଶତାବ୍ଦୀ ପାଳନ କରିବା । ସେହିପରି ଓଡିଶା ୧୪ ବର୍ଷ ପରେ ନୂଆ ରାଜ୍ୟର ମାନ୍ୟତା ମିଳିବାର ଶହେ ବର୍ଷ ପୂରଣ କରିବ । ଏହି ସମୟ ଦେଶ ଓ ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ ।ଭାରତକୁ ଏକ ବିକଶିତ ଦେଶ ଭାବେ ଗଢି ତୋଳିବାକୁ ସାମୁହିକ ପ୍ରୟାସର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।
ରାଷ୍ଟ୍ରପତି କହିଛନ୍ତି ଯେ ନିଜ ମାଟିର ମୋହରେ ଭିନ୍ନତା ରହିଛି । ନିଜ ମାଟିର ଆକର୍ଷଣ ନିଆରା ମଧ୍ୟ । ନିଜ ମାଟି ‘ଓଡ଼ିଶା’କୁ ଆସି ମୁଁ ଆଜି ଆନନ୍ଦିତ । ରାଷ୍ଟ୍ରପତି ହେଲା ପରେ ଜନ୍ମମାଟିକୁ ପ୍ରଥମ ଆଗମନ କରିଛି । ଆପଣଙ୍କର ଶ୍ରଦ୍ଧା ଓ ଭଲ ପାଇବା ଅଭିଭୂତ କରିଛି । ଏପରି ଏକ ଭବ୍ୟ ଉତ୍ସବର ଆୟୋଜନ କରିଥିବାରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ରାଷ୍ଟ୍ରପତି କହିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ଓଡ଼ିଶାବାସୀଙ୍କର ନୁହନ୍ତି, ସେ ଭାରତ ଓ ବିଶ୍ୱବାସୀଙ୍କର ଆରାଧ୍ୟ । ତେଣୁ ବିଶ୍ୱର କଲ୍ୟାଣ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛି । ଦାତାପଣରେ ଜଗନ୍ନାଥଙ୍କ ସମକକ୍ଷ କେହି ହୋଇପାରିବେ ନାହିଁ । ରାଜ୍ୟଗୁଡ଼ିକର ବିକାଶରେ ହିଁ ସମଗ୍ର ଭାରତର ବିକାଶ ନିହିତ । ସମୃଦ୍ଧ ଭାରତକୁ ସୁସମୃଦ୍ଧ କରିବାର ଅଭିଯାନ ଓଡ଼ିଶାରୁ ଆରମ୍ଭ ହେଉ , ଏହା ମୋର ଆନ୍ତରିକ ଇଛା । ସମାରୋହରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଏସ୍ ମୁରଲୀଧର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ ।