ପ୍ରୋଟୋକଲରେ ଅବହେଳା : ବାତିଲ ହେଲା ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ରାଲି
ଫ୍ଲାଏଓଭରରେ ୨୦ ମିନିଟ ଅଟକିବା ପରେ ଫେରିଗଲେ ପ୍ରଧାନମନ୍ତ୍ରୀ
ଚଣ୍ଡିଗଡ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବ ଗସ୍ତରେ ଥିବା ବେଳେ ସେଠାରେ ତାଙ୍କ ଗସ୍ତ ପ୍ରୋଟକଲରେ ଚରମ ଅବହେଳା ପ୍ରଦର୍ଶନ କରିଛି ପଞ୍ଜାବ ପୋଲିସ । ଫଳରେ ପ୍ରଧାନମନ୍ତ୍ରୀଙ୍କ କନଭଏ ଏକ ଫ୍ଲାଏଓଭର ଉପରେ ପ୍ରାୟ ୨୦ ମିନିଟ୍ ଧରି ଅଟକି ରହିବା ପରେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ମଧ୍ୟ ବାତିଲ କରିବାକୁ ପଡିଛି । ତେବେ ଏପରି ସମସ୍ୟା ପରେ ଗନ୍ତବ୍ୟସ୍ଥଳ ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ପୁନର୍ବାର ବିବାନ ବନ୍ଦରକୁ ଫେରି ଆସିଥିବା ସୂଚନା ରହିଛି।
ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ବୁଧବାର ସକାଳେ ପଞ୍ଜାବ ଭଟିଣ୍ଡା ଠାରେ ପହଞ୍ଚିଥିଲେ। ସେଠାରୁ ତାଙ୍କୁ ହୁସୈନୀବାଲାସ୍ଥିତ ରାଷ୍ଟ୍ରୀୟ ଶହୀଦ ସ୍ମାରକ ପର୍ଯ୍ୟନ୍ତ ଯିବାର ଥିଲା। ବର୍ଷା କାରଣରୁ ପ୍ରାୟ ୨୦ ମିନିଟ୍ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ। ଯେତେବେଳେ ପାଗ ବଦଳି ନଥିଲା ସେତେବେଳେ ନିଷ୍ପତ୍ତି ନିଆଯାଇଥିଲା ସଡ଼କ ମାର୍ଗରେ ସେଠାକୁ ଯିବେ ପ୍ରଧାନମନ୍ତ୍ରୀ ପରିଦର୍ଶନ କରିବେ। ଯାହା ୨ ଘଣ୍ଟାରୁ ଅଧିକ ସମୟ ନେବ। ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକଙ୍କ ଦ୍ୱାରା ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା କରାଯିବା ପରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଶହୀଦ ସ୍ମାରକ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ହୁସୈନୀବାଲା ଠାରୁ ଏହାର ଦୂରତା ହେଉଛି ୩୦ କିମି। ଯେତେବଳେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ଏକ ଫ୍ଲାଏ ଓଭର ବ୍ରିଜ ଠାରେ ପହଞ୍ଚିଲା ସେତବେଳେ କେତେକ ପ୍ରଦର୍ଶନକାରୀ ସେହି ରାସ୍ତାକୁ ଅବରୋଧ କରିଥିଲେ। ଯାହା ଫଳରେ ପ୍ରଧାନମନ୍ତ୍ରୀ ସେଠାରେ ପ୍ରାୟ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ଅଟକି ରହିଥିଲେ। ଯାହା ପ୍ରଧାନମନ୍ତ୍ରୀ ସୁରକ୍ଷାରେ ଥିବା ଫାଟକୁ ଦର୍ଶାଇଥିଲା।
ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ଏବଂ ଯାତ୍ରା ବାବଦରେ ପ୍ରଥମରୁ ପଞ୍ଜାବ ସରକାରଙ୍କୁ ଅବଗତ କରାଯାଇଥିଲା। ଏନେଇ ରହିଥିବା ପ୍ରକ୍ରିୟା ଅନୁସାରେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ସହ ଆକସ୍ମିକ ପରିସ୍ଥିତିର ମୁକାବିଲା କରିବା ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି। ଏହା ସହିତ ଯଦି କୌଣସି ସ୍ଥାନରେ ଆନ୍ଦୋଳନ ହୁଏ ତାହେଲେ ସେଥିଲାଗି ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଥିଲା। ହେଲେ ଏପରି କୌଣସି ସୁରକ୍ଷା ବାହିନୀ ନିୟୋଜିତ ହୋଇନଥିଲା। ସୁରକ୍ଷା ବ୍ୟବସ୍ଥାରେ ଫାଟ ଦୃଶ୍ୟମାନ ହେବା ପରେ ପ୍ରଧାନମନ୍ତ୍ରୀକୁ ଭଟିଣ୍ଡା ବିମାନ ବନ୍ଦରକୁ ଫେରାଇ ନେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ସୁରକ୍ଷା କ୍ଷେତ୍ରରେ ଏଭଳି ଗୁରୁତର ଅବ୍ୟବସ୍ଥାକୁ ଦେଖିବା ପରେ ଗୃହ ମନ୍ତ୍ରଣାଳୟ ପଞ୍ଜାବ ରାଜ୍ୟ ସରକାରଙ୍କ ଠାରୁ ବିସ୍ତୃତ ରିପୋର୍ଟ ମାଗିଛି। ଏଭଳି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଜାବ ସରକାରଙ୍କୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି ସହ ଚଳିତ ବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ଅଭିଯାନ ଆରମ୍ଭ କରିଥାନ୍ତା ପଞ୍ଜାବ ବିଜେପି। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଫିରୋଜପୁର ଠାରେ ପ୍ରାୟ ୪୨ ହଜାର ୭୫୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବା ସହ ସେଠାରେ ଆୟୋଜିତ ହୋଇଥିବା ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିଥାନ୍ତେ। ପଞ୍ଜାବ ନିର୍ବାଚନ ଦାୟିତ୍ୱରେ ଥିବା କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଗଜେନ୍ଦ୍ର ଶେଖୱତଙ୍କ ନେତୃତ୍ୱରେ ଗତ କିଛି ଦିନ ହେବ ଏହି ରାଲି ପାଇଁ ପ୍ରସ୍ତୁତି ଚାଲିଥିଲା। ଏପରିକି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଏହି ରାଲିରେ ଯୋଗ ଦେଇଥାନ୍ତେ। କୃଷି ସଂସ୍କାର ଆଇନ ବିରୋଧରେ ହୋଇଥିବା କୃଷକଙ୍କ ଆନ୍ଦୋଳନ କାରଣରୁ ପଞ୍ଜାବ ରାଜନୀତିରେ ଅନେକ ବିରୋଧର ସାମ୍ନା କରିଛି ବିଜେପି। ଯଦିଓ ବର୍ତ୍ତମାନ ଏହି କେନ୍ଦ୍ରୀୟ ଆଇନ ପ୍ରତ୍ୟାହାର କରାଯାଇଛି ହେଲେ ଏନେଇ ହୋଇଥିବା ଆନ୍ଦୋଳନ କାରଣରୁ ପ୍ରାୟ ୭୦୦ ଲୋକଙ୍କ ମୃତ୍ୟୁ ହେବା କାରଣରୁ ଚାଷୀଙ୍କ କ୍ରୋଧ ଜାରି ରହିଛି। ଏହାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଶିଖଙ୍କ ପାଇଁ କରିଥିବା କାର୍ଯ୍ୟ ବାବଦରେ କହିଛନ୍ତି। ଯାହା ମଧ୍ୟରେ ରହିଛି କରତାରପୁର କରିଡ଼ର ଖୋଲିବା, ଶିଖ ବିରୋଧି ଦଙ୍ଗାରେ ଜଡ଼ିତ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଲଙ୍ଗରକୁ ଜିଏସଟି ଛାଡ, ଆଫଗାନିସ୍ତାନରୁ ଶିଖଙ୍କୁ ଫେରାଇ ଆଣିବା ଆଦି କାର୍ଯ୍ୟ ଅନ୍ତର୍ଭୂକ୍ତ।