ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ବାସଭବନ ଆଗରେ ବିରୋଧ, ବିଭିନ୍ନ ସ୍ଥାନରେ ପୋଲିସ କର୍ଫ୍ୟୁ
କଲୋମ୍ବୋ : ଶ୍ରୀଲଙ୍କାରେ ଦେଖା ଦେଇଛି ବଡ଼ ଆର୍ଥିକ ସଙ୍କଟ । ଋଷ ଏବଂ ୟୁକ୍ରେନ ଯୁଦ୍ଧ ପରେ ସାରା ବିଶ୍ୱରେ ଏହାର ପ୍ରଭାବ ପଡିଛି । ଋଷ ସହ ଜଡିତ ଦେଶ ମାନେ ଏବେ ସଙ୍କଟରେ । ଗୋଟିଏ ମାସ ହେଲାଣି ଋଷ ସହିତ ବୈଦେଶକିକ ବ୍ୟାପାର ବନ୍ଦ ରହିଛି । ସେପଟେ ଋଷ ଉପରେ ବହୁ ପ୍ରତିବନ୍ଧକ ଲାଗିଛି ଯେଉଥିପାଇଁ ଋଷ ସହ ଏବେ ଆମଦାନୀ ରପ୍ତାନି ବନ୍ଦ ରହିଛି । ଏହି ପରିପ୍ରେକ୍ଷୀରେ ଶ୍ରୀଲଙ୍କା ରାଷ୍ଟ୍ରପତି ମହିନ୍ଦ୍ରା ରାଜପକ୍ଷେଙ୍କ ବାସଭବନ ଆଗରେ ବିରୋଧ ପରେ ରାଜଧାନୀ କଲୋମ୍ବୋର ବିଭିନ୍ନ ସ୍ଥାନରେ ପୋଲିସ କର୍ଫ୍ୟୁ ଲଗାଇଛି । ଏହାସହ କଲୋମ୍ବୋ ନର୍ଥ, ସାଉଥ୍, ସେଣ୍ଟ୍ରାଲ୍ ଓ ନୁଗଗୋଡାରେ କର୍ଫ୍ୟୁ ଲଗାଯାଇଥିବା ପୋଲିସ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ଆର୍ଥିକ ଦୁର୍ଗତି ଦେଇ ଗତି କରୁଛି ଶ୍ରୀଲଙ୍କା । ଏବେ ଜନତା ଏହା ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି । ଲୋକେ ମିରିହାନାରେ ଥିବା ରାଷ୍ଟ୍ରପତି ନିବାସ ପାଖରେ ବିରୋଧ ପ୍ରଦର୍ଶନ କରିଥିଲେ । ଫଳରେ ପୋଲିସ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ଏପରିକି ପାଣି ମାଡ ମଧ୍ୟ କରିଥିଲା । ବିରୋଧ ପ୍ରଦର୍ଶନର କିଛି ଘଣ୍ଟା ପରେ ପୋଲିସ କର୍ଫ୍ୟୁ ଲଗାଇଛି । କାରଣ ପୋଲିସ ଲୁହ ବୁହା ଗ୍ୟାସ୍ ଓ ପାଣି ମାଡ କରିବା ପରେ ଲୋକେ ଉତ୍ତେଜିତ ହୋଇ ପଡିଥିଲେ । ସେମାନେ ପୋଲିସ ଉପରେ ପଥର ମାଡ କରିଥିଲେ । ଏପରିକି ସର୍ବସାଧାରଣ ସମ୍ପତ୍ତି ମଧ୍ୟ ନଷ୍ଟ କରିଥିଲେ । କିଛି ସ୍ଥାନରେ ନିଆଁ ମଧ୍ୟ ସେମାନେ ଲଗାଇଥିଲେ । ତେବେ ନିଆଁ ଲଗାଯାଇଥିବା ନେଇ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ କିଛି ଫଟୋରେ ପ୍ରଦର୍ଶନକାରୀ ହାତରେ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରୁଛନ୍ତି ।
ସୂଚନା ଯେ, ଶ୍ରୀଲଙ୍କା ସରକାର ଲଗାତର ଭାବେ ଇନ୍ଧନ ଅଭାବ, ବିଜୁଳି ସଙ୍କଟ, ଗ୍ୟାସ ସଙ୍କଟ ଆଦିର ସାମ୍ନା କରୁଛନ୍ତି । ଏହାର ସମାଧାନ ପାଇଁ ସେଠାକାର ସରକାର ଭାରତ ସମେତ ଅନ୍ୟ ପଡୋଶୀ ଦେଶ ସହ ଆଲୋଚନା କରୁଛନ୍ତି । ଦେଶରେ ଖାଦ୍ୟ ଏବଂ ପାନୀୟର ସମସ୍ତ ଜରୁରୀ ସାମଗ୍ରୀର ଘୋର ଅଭାବ ରହିଛି । ଯେଉଁ କାରଣରୁ କ୍ରୋଧିତ ଲୋକମାନେ ଗୋଟାବାୟା ରାଜପକ୍ଷ ସରକାର ଉପରେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି । ଔଷଧ ଦୋକାନ ଏବଂ ଡାକ୍ତରଖାନାଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା । ଦେଶରେ ଔଷଧର ଅଭାବ ହେତୁ ଅସ୍ତ୍ରୋପଚାର ବନ୍ଦ ହୋଇଯାଉଛି । ଯେଉଁଥିପାଇଁ ଅନେକ ରୋଗୀଙ୍କ ଜୀବନ ନଷ୍ଟ ହେବାର ଆଶଙ୍କା ମଧ୍ୟ ବଢିଛି । ଶ୍ରୀଲଙ୍କାର ବିଦ୍ୟୁତ୍ ବୋର୍ଡ କହିଛି ଯେ ମାସ ଆରମ୍ଭରୁ କଟାଯାଇଥିବା ସାତ ଘଣ୍ଟିଆ ବିଦ୍ୟୁତ୍ କାଟକୁ ବର୍ତ୍ତମାନ ୧୦ ଘଣ୍ଟାକୁ ହ୍ରାସ କରାଯାଉଛି କାରଣ ବିଦ୍ୟୁତ୍ ଉତ୍ପାଦନ ପାଇଁ ଇନ୍ଧନ ନାହିଁ । ଅଧିକାରୀ କହିଛନ୍ତି ଯେ ଶ୍ରୀଲଙ୍କାର ୪୦ ପ୍ରତିଶତରୁ ଅଧିକ ବିଦ୍ୟୁତ୍ ଜଳ ବିଦ୍ୟୁତ୍ ଉତ୍ପାଦନରୁ ଉତ୍ପନ୍ନ ହେଉଛି ।
ଇନ୍ଧନର ଅଭାବ ସହିତ ବର୍ଷା ଅଭାବରୁ ଅଧିକାଂଶ ନଦୀ ଓ ଜଳଭଣ୍ଡାରରେ ଜଳ ନାହିଁ, ଯେଉଁ କାରଣରୁ ବିଦ୍ୟୁତ୍ ଉତ୍ପାଦନ କରିବା କଷ୍ଟକର ହୋଇପଡୁଛି । ଶ୍ରୀଲଙ୍କାରେ ଅଧିକାଂଶ ବିଦ୍ୟୁତ୍ ଉତ୍ପାଦନ କୋଇଲା ଏବଂ ତେଲରୁ ଆସିଥାଏ । ଏହି ଦୁଇଟି ଜିନିଷ ପାଇଁ ଆମଦାନୀ ଉପରେ ଶ୍ରୀଲଙ୍କା ନିର୍ଭରଶୀଳ । କିନ୍ତୁ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହୋଇଯାଇଛି । ଯେଉଁଥିପାଇଁ ସମସ୍ତ ଜରୁରୀ ଜିନିଷ ସେମାନଙ୍କ ସହିତ ଆମଦାନୀ ହେଉନାହିଁ । ଏହି ସମୟରେ ରାଷ୍ଟ୍ରାୟତ୍ତ ଖୁଚୁରା ଇନ୍ଧନ ବ୍ୟବସାୟୀ ସିଲନ୍ ପେଟ୍ରୋଲିୟମ ନିଗମ କହିଛି ଯେ ଦେଶରେ ଅତି କମରେ ଦୁଇ ଦିନ ଡିଜେଲ ରହିବ ନାହିଁ । ପେଟ୍ରୋଲ ଷ୍ଟେସନରେ ଲମ୍ବା ଧାଡିରେ ତେଲ ଅପେକ୍ଷା କରୁଥିବା ଡ୍ରାଇଭରମାନଙ୍କୁ ନିଜ ଘରକୁ ଫେରିବାକୁ କୁହାଯାଉଛି ଏବଂ ଇନ୍ଧନ ଯୋଗାଣ ପରେ ଏଠାକୁ ଆସିବାକୁ ସିପିସି କହିଛି । ବର୍ଷ ଆରମ୍ଭରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ବହୁତ ବୃଦ୍ଧି ପାଇଛି । ଏପର୍ଯ୍ୟନ୍ତ ପେଟ୍ରୋଲର ମୂଲ୍ୟ ୯୨ ପ୍ରତିଶତ ଏବଂ ଡିଜେଲର ମୂଲ୍ୟ ୭୬ ପ୍ରତିଶତ ବୃଦ୍ଧି ପାଇଛି ।
ରନ୍ଧନ ଗ୍ୟାସ ଏବଂ କିରୋସିନ କିଣିବା ପାଇଁ ସରକାର ଟଙ୍କା ଜମା କରିବାକୁ ୧୨ ଦିନ ସମୟ ଲାଗିଥିବା ଅଧିକାରୀମାନେ କହିଛନ୍ତି । ସରକାର କୌଣସି ପ୍ରକାରେ ୪୪ ମିଲିୟନ୍ ଡଲାର୍ ସଂଗ୍ରହ କରିଥିଲେ । ଯାହା ପରେ ଏହି ଜିନିଷଗୁଡିକ ଆମଦାନୀ ହୋଇପାରିବ । ଶ୍ରୀଲଙ୍କାରେ ବିପୁଳ ବୈଦେଶିକ ଋଣ ରହିଛି । ଶ୍ରୀଲଙ୍କାରେ ଚାଉଳ, ଚିନି, କ୍ଷୀର ଭଳି ସମସ୍ତ ଜରୁରୀ ଦ୍ରବ୍ୟର ଅଭାବ ରହିଛି । ଲୋକମାନେ ସେମାନଙ୍କର ମୂଲ୍ୟ ଦେଖି ଦୋକାନରେ ଉପଲବ୍ଧ ସାମଗ୍ରୀ କିଣିବାକୁ ସକ୍ଷମ ନୁହଁନ୍ତି । ଏଭଳି ପରିସ୍ଥିତିରେ ଶ୍ରୀଲଙ୍କାରେ ମଧ୍ୟ ସ୍ଥାନାନ୍ତରଣ ଆରମ୍ଭ ହୋଇଛି। ଲୋକମାନେ ନିଜ ଦେଶ ଛାଡି ପଡୋଶୀ ଭାରତକୁ ଯାଉଛନ୍ତି । ଶ୍ରୀଲଙ୍କାରେ ଅତ୍ୟାବଶ୍ୟକ ସାମଗ୍ରୀ ଔଷଧ ଏବଂ ସ୍ୱାସ୍ଥ୍ୟ ସୁବିଧା ଅଭାବରୁ ଅନେକ ଡାକ୍ତରଖାନାରେ ଅସ୍ତ୍ରୋପଚାର ବନ୍ଦ କରାଯାଇଛି । ଗୌଟିଏ ପଟେ ବିଦ୍ୟୁତର ଅଭାବ ଅନ୍ୟପଟେ ବଜାରରେ କ୍ୟାଣ୍ଡେଲ ମଧ୍ୟ ଉପଲବ୍ଧ ନାହିଁ ।