କ୍ଷମା ମାଗିଲେ ଆନ୍ଦୋଳନକାରୀ ଆଇନଜୀବୀ; ସୁପ୍ରିମକୋର୍ଟରେ ଆଜି ଶୁଣାଣି
ନୂଆଦିଲ୍ଲୀ : ଓଡ଼ିଶାର ବିଭିନ୍ନ ଅଦାଲତରେ ଆଇନଜୀବୀଙ୍କ ଆନ୍ଦୋଳନ ଏବଂ ଅଦାଲତ କାର୍ଯ୍ୟ ବର୍ଜନ ସମସ୍ୟା ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ପୂର୍ବରୁ ଆନ୍ଦୋଳନକାରୀ ଆଇନଜୀବୀଙ୍କ ତରଫରୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରାଯାଇଛି।
ସୋମବାର ଦିନ ବିଚାରପତି ସଞ୍ଜୟ କିଷନ କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ଜଣିଆ ଖଣ୍ଡପୀଠରେ ମାମଲାଟି ଶୁଣାଣି ଲାଗି ଧାର୍ଯ୍ୟ ହୋଇଛି। ପଶ୍ଚିମ ଓଡ଼ିଶାର ସମସ୍ତ ଓକିଲ ସଂଘ ସମୂହ ତରଫରୁ ସେଣ୍ଟ୍ରାଲ ଆକ୍ସନ କମିଟି (ସିଇସି) ସତ୍ୟପାଠ ଜରିଆରେ ଦର୍ଶାଇଛି ଯେ ଡିସେମ୍ବର ୧୨ରେ ସମ୍ବଲପୁର ଜିଲା ଅଦାଲତ ପରିସରରେ ଘଟିଥିବା ହିଂସାକାଣ୍ଡ ଯୋଜନାବଦ୍ଧ ନଥିଲା। ଘଟଣାଟି ସ୍ୱତଃପ୍ରବୃତ୍ତ ଭାବେ ଘଟିଥିଲା। ଏହି ଅଭାବନୀୟ ଘଟଣାରେ ସମ୍ବଲପୁରର ବିଭିନ୍ନ ଥାନାରେ ଆଇପିସିର ଧାରା ୧୪୭, ୧୪୯, ୧୮୬, ୧୮୮, ୨୯୪, ୩୨୩, ୩୩୨, ୩୪୧, ୩୫୩, ୩୫୪, ୪୨୭, ୪୫୨ ଓ ୫୦୬ ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାରେ ଗିରଫ ୩୦ ଜଣ ଆଇନଜୀବୀଙ୍କ ମଧ୍ୟରେ ଚାରି ଜଣ ମହିଳା ଆଇନଜୀବୀ ଅଛନ୍ତି। ଡିସେମ୍ବର ୧୨ରୁ ୧୫ ମଧ୍ୟରେ ଗିରଫ ଆଇନଜୀବୀଙ୍କ ଜାମିନ ଆବେଦନକୁ ସମ୍ବଲପୁର ସେସନ୍ସ ଜଜ ଖାରଜ କରିବା ପରେ ହାଇକୋର୍ଟରେ ଜାମିନ ଆବେଦନ ହୋଇଥିଲା। ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ବିଚାରାଧିନ ରହିଥିବାରୁ ହାଇକୋର୍ଟ ଅଦ୍ୟାବଧି ଜାମିନ ଆବେଦନର ବିଚାର କରିନାହାନ୍ତି। ସିଇସି ଅଭିଯୋଗ ଅନୁଯାୟୀ ରାଜନୈତିକ କାରଣରୁ ଘଟଣାରେ ସମ୍ପୃକ୍ତ ନଥିବା ଆଇନଜୀବୀଙ୍କୁ ପୁଲିସ ମାରଧର କରିଛି। ଅଦାଲତ ଅବମାନନା ମାମଲାରେ ନୋଟିସ ଜାରି ହୋଇଥିବା ରାଜ୍ୟର ସମୁଦାୟ ୧୯୧ ଜଣ ଆଇନଜୀବୀଙ୍କ ମଧ୍ୟରୁ ସମ୍ବଲପୁର ଜିଲା ବାର ଆସୋସିଏସନର ୫୯ ଜଣ ଏବଂ ଦେବଗଡ଼ ଜିଲା ବାର ଆସୋସିଏସନର ୧୧ ଜଣ ଆଇନଜୀବୀ ଅଛନ୍ତି। ଯଦିଓ ସମ୍ପୃକ୍ତ ଆଇନଜୀବୀ ମାନେ ନ୍ୟାୟାଳୟ ଶୁଣାଣି ବେଳେ ଉପସ୍ଥିତ ରହିବେ ତଥାପି ସିଇସି ସମ୍ପୃକ୍ତ ଆଇନଜୀବୀଙ୍କ ତରଫରୁ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି। ବାର କାଉନସେଲ ଅଫ ଇଣ୍ଡିଆ ଏବଂ ଓଡ଼ିଶା ରାଜ୍ୟ ବାର କାଉନସେଲଙ୍କ ଦ୍ୱାରା ସମ୍ବଲପୁର ବାର ଆସୋସିଏସନର ୫୪ଜଣ ଆଇନଜୀବୀଙ୍କ ଓକିଲାତି ଲାଇସେନ୍ସ ନିଳମ୍ବନ ଆଦେଶକୁ ପ୍ରତ୍ୟାହର କରିବା ସହ ଗିରଫ ଆଇନଜୀବୀ ବିଶେଷ କରି ଚାରି ଜଣ ମହିଳା ଆଇନଜୀବୀଙ୍କୁ ଜେଲରୁ ମୁକ୍ତ କରିବା ଲାଗି ନ୍ୟାୟାଳୟ ନରମ ମନୋଭାବ ପୋଷଣ କରିବାକୁ ସିଇସି ନିବେଦନ କରିଛି। ଏଥିସହ ଡିସେମ୍ବର ୧୨ ଘଟଣାରେ ସମ୍ପୃକ୍ତ ଅନ୍ୟ ଆଇନଜୀବୀଙ୍କୁ ଗିରଫ ନକରିବା ପାଇଁ ଓଡ଼ିଶା ସରକାରଙ୍କୁ ନିର୍ଦେଶ ଦେବା, ଅଦାଲତ ଅବମାନନା ମାମଲାରେ ଆଇନଜୀବୀଙ୍କୁ ବ୍ୟକ୍ତିଗତ ହାଜରାରୁ ଛାଡ଼ କରିବା, ନିସର୍ତ୍ତ କ୍ଷମା ପ୍ରାର୍ଥନା ପରିପ୍ରେକ୍ଷୀରେ ଅଦାଲତ ଅବମାନନା ମାମଲାକୁ ବନ୍ଦ କରିବା, ଆନ୍ଦୋଳନକାରୀ ଆଇନଜୀବୀଙ୍କ ବିରୁଦ୍ଧରେ ତଦନ୍ତ ଏବଂ ଓକିଲାତି ଲାଇସେନ୍ସ ରଦ୍ଦ କରିବା ନେଇ ବାର କାଉନସେଲ ଅଫ ଇଣ୍ଡିଆ ଏବଂ ଓଡ଼ିଶା ରାଜ୍ୟ ବାର କାଉନସେଲକୁ ସ୍ପଷ୍ଟ ନିର୍ଦେଶ ଦେବା ଲାଗି ସିଇସିର ସମ୍ପାଦକ ବିଜିତେନ୍ଦ୍ରିୟ ପ୍ରଧାନ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଅଦାଲତ ଅବମାନନା ମାମଲାରେ ରବିବାର ସଂଧ୍ୟା ସୁଦ୍ଧା ପଶ୍ଚିମ ଓଡ଼ିଶାର ୫୩ ଜଣ ଆଇନଜୀବୀ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିବା ଜଣାପଡ଼ିଛି।