ଘୁଞ୍ଚିଲା ରାଜ୍ୟ ରପ୍ତାନୀ ପୁରସ୍କାର ଚୟନ ପ୍ରକ୍ରିୟା
ଭୁବନେଶ୍ୱର : ଘୁଞ୍ଚିଲା ରାଜ୍ୟ ରପ୍ତାନୀ ପୁରସ୍କାର ଚୟନ ପ୍ରକ୍ରିୟା । ରପ୍ତାନୀ ପୁରସ୍କାର ନିମନ୍ତେ ଆସିଥିବା ଆବେଦନଗୁଡ଼ିକର ସଂଖ୍ୟା ନଗଣ୍ୟ ଥିବାରୁ ଚୟନକୁ ଘୁଞ୍ଚାଇ ଦିଆଯାଇଛି । ଷ୍ଟାର୍ଟଅପ୍ ଏବଂ ମହିଳା ଉଦ୍ୟୋଗୀ ବର୍ଗରୁ ଜମା ଆବେଦନ ଆସିନଥିବାରୁ ଏହା ଘୁଞ୍ଚାଇ ଦିଆଯାଇଥିବା ଅନ୍ୟ ଏକ କାରଣ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ପୁନର୍ବାର ଖବରକାଗଜରେ ବିଜ୍ଞାପନ ଦେବାକୁ ନିଷ୍ପତ୍ତି ନିଆଯାଇଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି ।
ବିଭାଗୀୟ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗତକାଲି(ମଙ୍ଗଳବାର) ପୁରସ୍କାର ଚୟନ କମିଟି ବୈଠକ ବସିଥିଲା । ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ପୁରସ୍କାର ପ୍ରଦାନ ସମ୍ବନ୍ଧରେ ସରକାରଙ୍କ ସମସ୍ତ ସଂପୃକ୍ତ ବିଭାଗ, ରପ୍ତାନୀ ପ୍ରୋତ୍ସାହନ ପରିଷଦ ଏବଂ ଶିଳ୍ପ ପ୍ରତିଷ୍ଠାନ ସଂଘଗୁଡ଼ିକୁ ଅବଗତ କରାଯାଇ ଖବରକାଗଜ ମାଧ୍ୟମରେ ବିଜ୍ଞାପନ ଦିଆଯିବ । ଫଳରେ ଆବେଦନ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି । ଏହାସହ ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ପ୍ରାଣୀସମ୍ବଳ ବିକାଶ ବିଭାଗ, ଇସ୍ପାତ ଓ ଖଣି, ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନ, ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି, ଶିଳ୍ପ ନିର୍ଦ୍ଦେଶକ ପ୍ରମୁଖ ଯୋଗଦେଇଥିଲେ ।