ପ୍ରୋ ଲିଗ୍ ହକି: ଇଂଲଣ୍ଡ ବିପକ୍ଷରେ ଭାରତର ଲଗାତାର ବିଜୟ
ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ପ୍ରୋ ଲିଗ୍ ହକି ମ୍ୟାଚ୍ରେ ଆୟୋଜକ ଭାରତ ଶତପ୍ରତିଶତ ସଫଳତା ପାଇଛି । ଭାରତ-ଇଂଲଣ୍ଡ ଦ୍ଵିତୀୟ ମୁକାବିଲାରେ ଇଂଲଣ୍ଡକୁ ୪-୩ ଗୋଲ୍ରେ ହରାଇଛି ଭାରତ । ତା ସହ ଇଂଲଣ୍ଡ ବିପକ୍ଷରେ ଦୁଇ ଦିନରେ ଦୁଇଟି ବିଜୟ ହାସଲ କରିଛି । ଶନିବାର ପ୍ରଥମ ମୁକାବିଲାରେ ଆୟୋଜକ ଭାରତ ଚିତାକର୍ଷକ ଢଙ୍ଗରେ ଭ୍ରମଣକାରୀ ଇଂଲଣ୍ଡକୁ ସୁଟଆଉଟ୍ରେ ପରାସ୍ତ କରିଥିଲା । ଲଗାତାର ବିଜୟ ପରେ ଭାରତ ଏବେ ୧୦ ମ୍ୟାଚ୍ରୁ ୨୧ ପଏଂଟ ଅର୍ଜନ କରି ତାଲିକାର ପ୍ରଥମ ସ୍ଥାନରେ ନିଜ ସ୍ଥିତି ଆହୁରି ସୁଦୃଢ଼ କରିନେଇଛି ।
ଆଜିର ଏହି ମୁକାବିଲାରେ ଇଂଲଣ୍ଡ ମ୍ୟାଚ୍ର ପ୍ରଥମ ଗୋଲ୍ ଦେଇଥିଲା । ହେଲେ ଭାରତ ଅଧିକାଂଶ ସମୟ ଆଧିପତ୍ୟ ବିସ୍ତାର କରିଥିଲା । ସପ୍ତମ ମିନିଟ୍ରେ ଲିଆମ ସାନଫୋର୍ଡ ପେନାଲ୍ଟିଂ କର୍ଣ୍ଣରକୁ ଗୋଲ୍ରେ ରୂପାନ୍ତର କରି ଇଂଲଣ୍ଡକୁ ଆଗୁଆ କରିଥିଲେ । ଭାରତ କିନ୍ତୁ ଏହା ପରେ ଚମତ୍କାର ପ୍ରତ୍ୟାବର୍ତନ କରିବା ସହ ୧୧ ମିନିଟ୍ ବ୍ୟବଧାନରେ ତିନିଟି ଗୋଲ୍ ଦେଇ ପ୍ରଥମାର୍ଦ୍ଧ ସୁଦ୍ଧା ୩-୧ରେ ଆଗୁଆ ହୋଇଯାଇଥିଲା । ସେଥିମଧ୍ୟରୁ ଦୁଇଟି ଗୋଲ୍ ମନପ୍ରୀତ ସିଂହ (୧୫, ୨୬ ମିନିଟ୍) ଦେଇଥିଲା ବେଳେ ହରମନପ୍ରୀତ ସିଂହ ଗୋଟିଏ ଗୋଲ୍ ଦେଇଥିଲେ । ପ୍ରଥମାର୍ଦ୍ଧର ଚାରିଟି ଯାକ ଗୋଲ୍ ପେନାଲ୍ଟି କର୍ଣ୍ଣରରୁ ଆସିଥିଲା । ଇଂଲଣ୍ଡ ତୃତୀୟ କ୍ୱାର୍ଟରରେ ଫେରି ୩୯ତମ ମିନିଟ୍ରେ ଡେଭିଡ୍ କଣ୍ଡନଙ୍କ ଗୋଲ୍ ବଳରେ ସ୍ଥିତି ୩-୨ କରିନେଇଥିଲା । ତେବେ ହର୍ମନପ୍ରୀତଙ୍କ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍ ବଳରେ ଭାରତ ୪-୨ରେ ଆଗୁଆ ହୋଇଯାଇଥିଲା । ସାମ୍ ୱାର୍ଡ ଚତୁରତାର ସହ ଇଂଲଣ୍ଡ ପକ୍ଷରୁ ସହଜରେ ତୃତୀୟ ଗୋଲ୍ କରି ନେଇଥିଲେ । ଫଳରେ ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ଗୋଟିଏ ଗୋଲ୍ ବ୍ୟବଧାନ ଅର୍ଥାତ୍ ୪-୩ରେ ଆଗୁଆ ରହିଥିଲା । ଚତୁର୍ଥ କ୍ୱାର୍ଟରରେ ଉଭୟ ଦଳ କେହି କାହାରିକୁ ଗୋଲ୍ ଦେଇ ନପାରିବାରୁ ଭାରତ ସେହି ୪-୩ ଗୋଲ୍ରେ ଆଉ ଏକ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଥିଲା । ଓଡ଼ିଆ ତାରକା ଅମିତ ରୋହିଦାସଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ଦଳର ପ୍ରାରମ୍ଭିକ ଏକାଦଶରେ ସ୍ଥାନୀୟ ଖେଳାଳି ନିଲମ ସଂଜୀବ ଖେସ୍ ଥିଲେ । ଶିଳାନନ୍ଦ ଲାକ୍ରା ବି ନିଜ ଯାଦୁ ଦେଖାଇଥିଲେ ।
ସ୍ଥଗିତ ରହିଥିବା ଜର୍ମାନୀ ବିପକ୍ଷ ଏଫ୍ଆଇଏଚ୍ ପ୍ରୋ ଲିଗ୍ ମ୍ୟାଜ୍ ଭାରତ ଚଳିତ ମାସ ୧୪ ଓ ୧୫ ତାରିଖରେ ଖେଳିବ । ପୂର୍ବରୁ ଏହି ମ୍ୟାଚ୍ ଗତମାସ ୧୨ ଓ ୧୩ ତାରିଖରେ ଖେଳାଯିବାର ଥିଲା । ହେଲେ ଜର୍ମାନି ଦଳ କରୋନା ସଂକ୍ରମିତ ଯୋଗୁଁ ଭାରତ ଗସ୍ତରେ ଆସିବାକୁ ରାଜି ହୋଇନଥିଲା । ଏବେ ପରିସ୍ଥିତି ସୁଧୁରି ଯାଇଥିବାରୁ ଓଡ଼ିଶା ଆସି କଳିଙ୍ଗ ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳିବାକୁ ଜର୍ମାନୀ ରାଜି ହୋଇଛି । ଭ୍ରମଣକାରୀ ଜର୍ମାନୀ ଖେଳାଳି ମାନେ ମଧ୍ୟ ଏହି ଦୁଇ ମ୍ୟାଚ୍କୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ।