ଆରଟିଆଇ ପରିସରଭୁକ୍ତ ହେବେ ଘରୋଇ ସ୍କୁଲ! ସୂଚନା ମାଗୁଥିବା ନାଗରିକଙ୍କୁ ତଥ୍ୟ ଦେବା ବାଧ୍ୟତାମୂଳକ
ନୂଆଦିଲ୍ଲୀ : ସୂଚନା ଅଧିକାର ଆଇନ (ଆରଟିଆଇ) ପରିସରଭୁକ୍ତ ହେବେ ଘରୋଇ ସ୍କୁଲ । ସୂଚନା ମାଗୁଥିବା ନାଗରିକଙ୍କୁ ଘରୋଇ ବିଦ୍ୟାଳୟ ତଥ୍ୟ ଦେବା ବାଧ୍ୟତାମୂଳକ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ଆଧାର କରି ସ୍ପଷ୍ଟ କରିଛି ସୂଚନା ଆୟୋଗ । ଶିକ୍ଷାନୁଷ୍ଠାନ ଗୁଡିକୁ ସୂଚନା ଆଇନର ପରିସରଭୁକ୍ତ କରିବା ପାଇଁ ବାରମ୍ବାର ଦାବି କରୁଥିଲେ ଅଭିଭାବକ ସଂଘ । ଅଭିଭାବକ ସଂଘର ସଭାପତି ଗଗନ ବିହାରୀ ରାଉତଙ୍କ ଏକ ଆବେଦନର ଶୁଣାଣି କରି ସୂଚନା ଅଧିକାର ଆୟୋଗ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ଦୋହରାଇଥିଲେ ।
ଆୟୋଗ କହିଥିଲେ, କୌଣସି ଘରୋଇ ଶିକ୍ଷାନୁଷ୍ଠାନ ବାସ୍ତବ କ୍ଷେତ୍ରରେ ସିଧାସଳଖ କିମ୍ବା ପରୋକ୍ଷଭାବେ ଆର୍ଥିକ ସହାୟତା ପାଇଥିଲେ ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବେ । ସର୍ବାଧିକ ସହାୟତା ପାଇନଥିବା ଯୁକ୍ତିକୁ କୌଣସି ମାପଦଣ୍ଡ ଭାବେ ନିଆଯାଇପାରିବ ନାହିଁ । କରମୁକ୍ତ ବା ରିହାତି ଦରରେ ସରକାରୀ ଜମି ପାଇଥିବା ଶିକ୍ଷାନୁଷ୍ଠାନ ବାସ୍ତବ କ୍ଷେତ୍ରରେ ଆର୍ଥିକ ସହାୟତା ପାଇଛନ୍ତି ବୋଲି ଧରାଯିବ ନେଇ ଉଦାହରଣ ଦେଇଥିଲେ ସୁପ୍ରିମକୋର୍ଟ । ଗଗନ ରାଉତ ୟୁନିଟ୍-୮ ଡିଏଭି ସ୍କୁଲର ତଥ୍ୟ ସୂଚନା ଅଧିକାର ମାଧ୍ୟମରେ ଭୁବନେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତଥ୍ୟ ମାଗିଥିଲେ । ହେଲେ ସ୍କୁଲ ସୂଚନା ଅଧିକାର ପରିସରଭୁକ୍ତ ନୁହେଁ କହି ତଥ୍ୟ ଦିଆଯାଇନଥିଲା । ନୂଆ ରାୟ ଅନୁସାରେ ୩୦ ଦିନ ମଧ୍ୟରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।