ସାମ୍ଭାବ୍ୟ ବାତ୍ୟା ଜଓ୍ବାଦକୁ ନେଇ ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାରେ ପରିଣତ ହୋଇ ଭାରତର ପୂର୍ବ ଉପକୂଳ ଦିଗରେ ବଢିପାରେ ବୋଲି ଭାରତୀୟ ପାଣିପାଗ (ଆଇଏମଡି) ବିଭାଗ ସୂଚନା ଦେଇସାରିଥିବା ବେଳେ ବାତ୍ୟା ଆଶଙ୍କା ବଢିବାରେ ଲାଗିଛି । ତେବେ ଆଜି (ଗୁରବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସାମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସମୀକ୍ଷା ବୈଠକ କରିଛନ୍ତି । କ୍ୟାବିନେଟ ସଚିବ ରାଜୀବ ଚୌବା, ଆଇଏମଡି ମହାନିର୍ଦ୍ଦେଶକ ଡ.ମୃତ୍ୟୁଞ୍ଜୟ ମହାପାତ୍ର, ଏନଡିଆରଏଫ ଡିଜିଙ୍କ ସମେତ ଜତୀୟ ସଙ୍କଟ ପରିଚାଳନା କମିଟି (ଏନସିଏମ୍ସି)ର ଅଧିକାରୀମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କୁ ସାମ୍ଭାବ୍ୟ ବାତ୍ୟାର ଅବସ୍ଥିତି, ଗତିପଥ, ପ୍ରଭାବ ଏବଂ ମୁକାବିଲା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଛନ୍ତି ।
Prime Minister Narendra Modi chairs a meeting on the cyclone-related situation in the country. pic.twitter.com/eWIcoFp8rm
— ANI (@ANI) December 2, 2021
ଭାରତୀୟ ପାଣିପାଗ ବିଭାଗର ପୂର୍ବ ଆକଳନ ଅନୁସାରେ ଏହା ବର୍ତ୍ତମାନ ଅବପାତର ରୂପ ନେଇନାହିଁ । ତେବେ ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହା ଅବପାତ, ଗଭୀର ଅବପାତ ଓ ପରେ ସାମୁଦ୍ରିକ ଝଡରେ ପରିଣତ ହୋଇ ପୂର୍ବ ଉପକୂଳ ଦିଗରେ ସ୍ଥଳଭାଗ ମୁହାଁ ହେବ । ବାତ୍ୟାର ସାମ୍ଭାବ୍ୟ ଗତିପଥ ନେଇ ଯେଉଁ ପ୍ରାଥମିକ ଆକଳନ ପ୍ରକାଶ ପାଇଛି, ଏହା ୪ ତାରିଖ ସୁଦ୍ଧା ଦକ୍ଷିଣ ଓଡିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ମଧ୍ୟରେ ସ୍ଥଳ ଭାଗ ଛୁଇଁପାରେ ।
ତେବେ ପ୍ରଭାବରେ ପ୍ରାୟ ୯୦ କିମି ପର୍ଯ୍ୟନ୍ତ ପବନ ବହିବା ସହ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବା ପୂର୍ବାନୂମାନ କରୁଛି ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ତାଲିକାରେ ଥିବା ରାଜ୍ୟମାନେ ମୁକାବିଲା ପ୍ରସ୍ତୁତି ମଧ୍ୟ ଆରମ୍ଭ କରିସାରିଲେଣି । କେନ୍ଦ୍ର ପକ୍ଷରୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଓ ରାଜ୍ୟର ଅଗ୍ନିଶମ ବିଭାଗ, ଓଡ୍ରାଫ ଓ ଅନ୍ୟ ଜରୁରୀକାଳୀନ ବିଭାଗ ଗୁଡିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ଓ ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ଉପରେ ଗୁରୁତ୍ବ ଦିଆଯାଉଛି । ତେବେ ଆସନ୍ତାକାଲି ବାତ୍ୟାର ଗତିପଥ ସମ୍ପର୍କରେ ଆକଳନ ସ୍ପଷ୍ଟ ପରେ ମୁକାବିଲା ରଣନୀତି ମଧ୍ୟ ସୁବିଧା ହେବ ।