ଭାଟିକାନ ସିଟିରେ ପୋପ୍ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭାଟିକାନ ସିଟିର ଆପୋଷ୍ଟୋଲିକ ପ୍ୟାଲେସ ଠାରେ ପୋପ୍ ଫ୍ରାନ୍ସିସ୍ ଙ୍କୁ ଭେଟିଛନ୍ତି । ଦୁଇ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ପୋପଙ୍କୁ ସାକ୍ଷାତ କରିଛନ୍ତି । ଏଥିପୂର୍ବରୁ, ୨୦୦୦ ମସିହା ଜୁନ ମାସରେ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଭାଟିକାନ ସିଟି ପରିଦର୍ଶନ କରିବା ସହିତ ତତ୍କାଳୀନ ପୋପ୍ ଜନ ପଲ୍ ଦ୍ୱିତୀୟଙ୍କୁ ସାକ୍ଷାତ କରିଥିଲେ । ୧୯୪୮ରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରେ ଭାରତ ଏବଂ ଭାଟିକାନ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଆସିଛି । ଏସିଆର ସର୍ବାଧିକ କ୍ୟାଥଲିକ ଧର୍ମାବଲମ୍ବୀ ଲୋକ ଭାରତରେ ରହିଛନ୍ତି ।
ଏହି ସାକ୍ଷାତ ସମୟରେ ଦୁଇ ନେତା କୋଭିଡ-୧୯ ମହାମାରୀ ଏବଂ ସାରା ବିଶ୍ୱ ଉପରେ ଏହାର ପରିଣାମ ସମ୍ପର୍କରେ ଆଲୋଚନା କରିଥିଲେ । ଜଳବାୟୁ ପରିବର୍ତନ କାରଣରୁ ପଡ଼ୁଥିବା ପ୍ରଭାବ ସମ୍ପର୍କରେ ମଧ୍ୟ ସେମାନେ କଥା ହୋଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜଳବାୟୁ ପରିବର୍ତନ ମୁକାବିଲା ପାଇଁ ଭାରତ ପକ୍ଷରୁ ଗ୍ରହଣ କରାଯାଉଥିବା ମହତ୍ୱାକାଂକ୍ଷୀ ପଦକ୍ଷେପ ଏବଂ ୧୦୦ କୋଟି କୋଭିଡ-୧୯ ଟିକା ଡୋଜ୍ ଦେବାରେ ଭାରତର ସଫଳତା ସମ୍ପର୍କରେ ପୋପ୍ ଙ୍କୁ ବିସ୍ତୃତ ଭାବେ ସୂଚନା ଦେଇଥିଲେ । ମହାମାରୀ ସମୟରେ ଅନ୍ୟ ରାଷ୍ଟ୍ରମାନଙ୍କୁ ଭାରତ ସହାୟତା କରିଥିବାରୁ ପୋପ୍ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ପୋପ ଫ୍ରାନ୍ସିସଙ୍କୁ ଯଥାଶୀଘ୍ର ଭାରତ ଆସିବା ଲାଗି ନିମନ୍ତ୍ରଣ କରିଥିଲେ, ଯାହାକୁ ସେ ଆନନ୍ଦର ସହିତ ସ୍ୱୀକାର କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ପରରାଷ୍ଟ୍ର ସଚିବ କାର୍ଡିନାଲ ପିଏତ୍ରୋ ପାରୋଲିନଙ୍କୁ ସାକ୍ଷାତ କରିଥିଲେ । ପୂର୍ବରୁ ଗତ ୧୯୯୯ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ପୋପ୍ ଜନ ପଲ୍ ୨ୟ ଭାରତ ଗସ୍ତରେ ଆସିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ହେଉଛି ଯେ ଭାଟିକାନ ସିଟି ରୋମ ନଗରୀର କେନ୍ଦ୍ର ସ୍ଥଳରେ ଅବସ୍ଥିତ । ଏହାକୁ ଏକ ସ୍ୱତନ୍ତ୍ର ନଗର ରାଷ୍ଟ୍ରର ମାନ୍ୟତା ଦିଆଯାଇଛି । ଭାଟିକାନରେ ସମଗ୍ର ବିଶ୍ୱରେ ଥିବା ରୋମାନ କାଥୋଲିକ ଚର୍ଚ୍ଚଗୁଡ଼ିକର ମୁଖ୍ୟାଳୟ ଅବସ୍ଥିତ । ସୂଚନାଯୋଗ୍ୟ ଯେ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଇଟାଲୀ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି ଅବସରରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକାରୋନ, ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ଜୋକୋ ଇଡୋଡୋଙ୍କୁ ଭେଟିଛନ୍ତି ।