ମଧ୍ୟାହ୍ନ ଭୋଜନ ପାଇଁ ଅଧିକ ବ୍ୟୟବରାଦ କରିବାକୁ ପ୍ରାଥମିକ ଶିକ୍ଷକ ସଂଘର ଦାବି
ଭୁୁବନେଶ୍ୱର : ପ୍ରଥମରୁ ପଂଚମ ଶ୍ରେଣୀ ପିଲାଙ୍କ ପାଇଁ ୫ ଟଙ୍କା ୪୨ ପଇସା ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ବିଶିଷ୍ଟ ବିଦ୍ୟାଳୟର ପ୍ରତି ପିଲାଙ୍କ ପାଇଁ ୮ ଟଙ୍କା ୧୦ ପଇସା ମଧ୍ୟାହ୍ନ ଭୋଜନ ପାଇଁ ଯାହା ବ୍ୟୟବରାଦ କରାଯାଇଛି ତାହା ସମୁଦ୍ରକୁ ଶଙ୍ଖେ ପରି । ବର୍ତମାନ ପରିସ୍ଥିତିରେ ରାସନ ସାମଗ୍ରୀ ଓ ଅଣ୍ଡାର ବଜାର ଦର ବଢିଥିବାରୁ ଶିକ୍ଷକମାନଙ୍କ ପକ୍ଷରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କଷ୍ଟସାଧ୍ୟ ହେଉଛି । କମ୍ ବ୍ୟୟ ବରାଦ ଯୋଗୁ ମଧ୍ୟାହ୍ନ ଭୋଜନ ନିମ୍ନମାନର ହେଉଛି । ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ପୁଷ୍ଟିକର ଖାଦ୍ୟ ବିନା ମାନସିକ, ଶାରୀରିକ ଓ ବୌଦ୍ଧିକ ଅନଗ୍ରସର ହେଉଛନ୍ତି ।
ଗୋଟିଏ ଚକୋଲେଟର ଦାମ ୫ ଟଙ୍କା ହୋଇଥିବା ବେଳେ ୫ ଟଙ୍କାରେ କିପରି ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କରାଯିବ ଏଥିନେଇ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସରକାରଙ୍କୁ ପ୍ରଶ୍ନ କରିଛି । ଅନ୍ୟ ପଟରେ ଏପ୍ରିଲ ମାସଠାରୁ ଆଜି ପର୍ଯ୍ୟନ୍ତ ସାଢେ ପାଂଚ ମାସ ହେବ ମଧ୍ୟାହ୍ନ ଭୋଜନ ପାଇଁ ବକେୟା ଟଙ୍କା ମିଳିନାହିଁ । ଯାହାଫଳରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟାହ୍ନ ଭୋଜନ ପାଇଁ ପକେଟରୁ ଟଙ୍କା ଖର୍ଚ୍ଚ କରି ନୟାନ୍ତ ହେଲେଣି । ଗତମାସ ୨୩ ତାରିଖରେ ଗଣଶିକ୍ଷା ମନ୍ତ୍ରୀ ଓ ଚଳିତମାସ ୩ ତାରିଖରେ ସଂଘ ତରଫରୁ କମିଶନର ତଥା ସଚିବ ଗଣଶିକ୍ଷା ବିଭାଗକୁ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ସଂଘ ତରଫରୁ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା, ସାଧାରଣ ସମ୍ପାଦକ ବିଭୂ ପ୍ରସାଦ ସାହୁ ଓ କୋଷାଧ୍ୟକ୍ଷ ଗୋପାଳ କିଶୋର ସେନ ମଧ୍ୟାହ୍ନ ଭୋଜନ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ରଘୁରାମ ଆୟରଙ୍କୁ ଭେଟି ମଧ୍ୟାହ୍ନ ଭୋଜନ ବ୍ୟୟବରାଦ ବୃଦ୍ଧି କରିବା, ବକେୟା ଅର୍ଥ ପ୍ରଦାନ କରିବା ସହିତ ମଧ୍ୟାହ୍ନ ଭୋଜନକୁ ସୁବନ୍ଦୋବସ୍ତ କରି ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଶିକ୍ଷକମାନଙ୍କୁ ଏହି ଅଣଶିକ୍ଷା କାର୍ଯ୍ୟରୁ ତୁରନ୍ତ ମୁକ୍ତ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି ।