ୟୁରୋପୀୟ ବଜାରରେ ରେକର୍ଡ ସ୍ତରରେ ପହଞ୍ଚିଲା ଗହମର ମୂଲ୍ୟ
ନୂଆଦିଲ୍ଲୀ: ଭାରତ ସରକାର ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ପରେ ୟୁରୋପୀୟ ବଜାରରେ ଗହମ ମୂଲ୍ୟ ଆକାଶ ଛୁଆଁ ରହିଛି । ଆଜି ୟୁରୋପୀୟ ବଜାରରେ ଗହମର ପ୍ରତି ଟନ୍ ମୂଲ୍ୟ ୪୩୫ ୟୁରୋ ବା ଭାରତୀୟ ମୂଲ୍ୟରେ ୩୫,୨୭୫ଟଙ୍କାରେ ପହଞ୍ଚିଛି । ଋଷ ଏବଂ ୟୁକ୍ରେନ ଯୁଦ୍ଧ ପରଠାରୁ ଗହମର ଚାହିଦା ପୂରଣ ହେବା ଉପରେ ଆଶଙ୍କା ସୃଷ୍ଟି ହୋଇଛି । ଯେଉଁ କାରଣରୁ ଗହମ ମୂଲ୍ୟ ବୃଦ୍ଧି ପାଇଛି । ଦୁଇ ଦେଶର ୧୨% ଗତବର୍ଷ ସମାନ ଅବଧିରେ ବୈଶ୍ୱିକ ବଜାରରେ ଗହମ ରପ୍ତାନୀରେ ଯୋଗଦାନ ରହିଥିଲା । ସାରା ବିଶ୍ୱରେ ଖରାପ ଫସଲ ଓ ଖାଦ୍ୟର ଅଭାବ ଯୋଗୁଁ ବୈଶ୍ୱିକ ସ୍ତରରେ ଦରଦାମ୍ ବୃଦ୍ଧି ପାଇଛି । ଯେଉଁଥିପାଇଁ ଏବେ ଗରିବ ଦେଶର ସ୍ଥିତି ଅସମ୍ଭାଳ ହୋଇପଡ଼ିଛି । ଏବଂ ସାମାଜିକ ଅଶାନ୍ତିର ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି । ଅନ୍ୟପଟେ ଭାରତ ଗହମ ଉତ୍ପାଦନରେ ଦ୍ୱିତୀୟ । ଭାରତ ସରକାର ଶନିବାର କହିଥିଲେଯେ, ମାର୍ଚ୍ଚରେ ରେକର୍ଡ ଗରମରୁ ଦୃଷ୍ଟିରେ ରଖି ରପ୍ତାନୀ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ଯେହେତୁ ଭାରତ ଗହମର ଉତ୍ପାଦନ ଏବଂ ବୈଶ୍ୱିକ ବଜାରରେ ମୂଲ୍ୟ ବୃଦ୍ଧିକୁ ନଜରରେ ରଖି ନିଜର ୧.୪ ବିଲିୟନ ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ନେଇ ଚିନ୍ତିତ ଅଛି ।