ଖୁବ୍ ଶୀଘ୍ର କମିବ ଗ୍ୟାସ ସିଲିଣ୍ଡରର ଦର ! ଗଠନ ହେଲା କମିଟି
ନୂଆଦିଲ୍ଲୀ : ଯଦି ଆପଣ ମଧ୍ୟ ପ୍ରତି ମାସରେ ଗ୍ୟାସ୍ ସିଲିଣ୍ଡର ନେଉଛନ୍ତି ଓ ଗ୍ୟାସର ମୂଲ୍ୟ ବୃଦ୍ଧି ଯୋଗୁଁ ଚିନ୍ତିତ ଅଛନ୍ତି, ତେବେ ଏହି ଖବର ନିଶ୍ଚିତ ଭାବରେ ଆପଣଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ । ଓଏନଜିସି ଓ ରିଲାଏନ୍ସ ଭଳି ପ୍ରମୁଖ ତୈଳ ଉତ୍ପାଦନକାରୀ କମ୍ପାନୀ ଦ୍ୱାରା ଉତ୍ପାଦିତ ଗ୍ୟାସର ମୂଲ୍ୟ ସ୍ଥିର କରିବାର ସୂତ୍ରର ସମୀକ୍ଷା ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି । ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶ ଜାରି କରି ଯୋଜନା ଆୟୋଗର ପୂର୍ବତନ ସଦସ୍ୟ କିରିଟ୍ ଏସ ପାରିକଙ୍କ ନେତୃତ୍ୱରେ ଏହି ସମୀକ୍ଷା କମିଟି ଗଠନ କରିଛନ୍ତି ।
ସରକାର ଗଠନ କରିଥିବା ଏହି କମିଟି ଗ୍ୟାସ ଉପଭୋକ୍ତାଙ୍କୁ ଗ୍ୟାସର ଉଚିତ ମୂଲ୍ୟ ବିଷୟରେ ପରାମର୍ଶ ଦେବ । ଏହି ସମିତିରେ ସହରୀ ଗ୍ୟାସ ବିତରଣରେ ଜଡିତ ବେସରକାରୀ ବା ଘରୋଇ କମ୍ପାନୀ, ସରକାରୀ ଗ୍ୟାସ କମ୍ପାନୀ ଗେଲ ଇଣ୍ଡିଆ ଲିମିଟେଡ, ଇଣ୍ଡିଆନ ଅଏଲ କର୍ପୋରେସନ ଏବଂ ଉର୍ବରକ ମନ୍ତ୍ରଣାଳୟର ଜଣେ ଜଣେ ପ୍ରତିନିଧୀଙ୍କୁ ସାମିଲ କରାଯାଇଛି । ସରକାର ୨୦୧୪ରେ ଗ୍ୟାସ ଅଧିକ ଥିବା ଦେଶଗୁଡ଼ିକର ଗ୍ୟାସ ମୂଲ୍ୟର ବ୍ୟବହାର ଘରୋଇ ସ୍ତରରେ ଉତ୍ପାଦିତ ଗ୍ୟାସର ମୂଲ୍ୟ ନିର୍ଣ୍ଣୟ କରିବା ପାଇଁ ଏକ ସୂତ୍ର ଖୋଜିବାରେ କରିଥିଲେ ।
ଏହି ଫର୍ମୂଲା ଅନୁଯାୟୀ, ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଉତ୍ପାଦନ ମୂଲ୍ୟଠାରୁ ଗ୍ୟାସର ମୂଲ୍ୟ ଅନେକ ଗୁଣ କମ୍ ଥିଲା । କିନ୍ତୁ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାର ଗତ କିଛି ମାସ ମଧ୍ୟରେ ଏହି ହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି । ପୁରୁଣା ଗ୍ୟାସ କ୍ଷେତ୍ରରୁ ବାହାରୁ ଥିବା ଗ୍ୟାସର ମୂଲ୍ୟ ଏପ୍ରିଲରୁ ଦୁଇଗୁଣ ବୃଦ୍ଧି ହୋଇ ୟୁନିଟ୍ ପିଛା ୬.୧ ଡଲାର (ଏମଏମବିଟିୟୁ) ହୋଇସାରିଛି ଓ ଆସନ୍ତା ମାସ ସୁଦ୍ଧା ୟୁନିଟ୍ ପିଛା ୯ ଡଲାର ଅତିକ୍ରମ କରିବ ବୋଲି ଆଶା କରାଯାଉଛି । ମନ୍ତ୍ରଣାଳୟ ଏହି ସମିତିକୁ କହିଛି ଯେ ଉପଭୋକ୍ତାଙ୍କୁ ଯୋଗାଇ ଦିଆଯାଉଥିବା ଗ୍ୟାସର ଉଚିତ ମୂଲ୍ୟର ପରାମର୍ଶ ଦିଆଯାଉ । ଗ୍ୟାସର ବ୍ୟବହାର ସାର ତିଆରି ବ୍ୟତୀତ ବିଦ୍ୟୁତ୍ ଉତ୍ପାଦନ ଓ ସିଏନଜି ଏବଂ ଏଲପିଜି ରୋଷେଇ ଗ୍ୟାସ ଭାବରେ ମଧ୍ୟ ବ୍ୟବହୃତ ହୁଏ ।
ସୂଚନାଯୋଗ୍ୟ, ସେପ୍ଟେମ୍ୱର ୧ରେ ତୈଳ କମ୍ପାନୀଗୁଡ଼ିକ ଏଲପିଜି ଗ୍ୟାସ ସିଲିଣ୍ଡରର ନୂଆ ଦର ଜାରି କରିଥିଲେ । ଇଣ୍ଡିଆନ୍ ଅଏଲ୍ ଦ୍ୱାରା ପ୍ରକାଶିତ ନୂତନ ଦର ଅନୁଯାୟୀ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରାଯାଇଥିଲା । ଏହି ରିହାତି ବ୍ୟବସାୟିକ ସିଲିଣ୍ଡର ବ୍ୟବହାରକାରୀଙ୍କୁ ମିଳିଛି । ଇଣ୍ଡିଆନ୍ ଅଏଲ୍ ଦ୍ୱାରା ଏଲପିଜିର ନୂତନ ଦର ଆଜି ଅର୍ଥାତ୍ ସେପ୍ଟେମ୍ବର ୧ରେ ଜାରି କରାଯାଇଛି, ଯାହା ଅନୁଯାୟୀ ଦିଲ୍ଲୀରେ ଇଣ୍ଡେନ୍ ସିଲିଣ୍ଡର ୯୧.୫୦ ଟଙ୍କା, କୋଲକାତାରେ ୧୦୦ ଟଙ୍କା, ମୁମ୍ବାଇରେ ୯୨.୫୦ ଟଙ୍କା ଏବଂ ଚେନ୍ନାଇରେ ୯୬ ଟଙ୍କା ଶସ୍ତା ହୋଇଛି । ଏହି ହ୍ରାସ ଦିଲ୍ଲୀରୁ ପାଟନା, ଜୟପୁରରୁ ଡିସପୁର, ଲଦାଖରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଘଟିଛି ।
ଅନ୍ୟପଟେ ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡର କେବଳ ଜୁଲାଇ ୬ର ରେଟରେ ମିଳୁଛି । ଆପଣଙ୍କୁ କହିରଖୁଛୁ ଯେ, ଜୁଲାଇ ୬ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ଆଜିଠାରୁ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଦିଲ୍ଲୀରେ ୧୯୭୬.୫୦ ଟଙ୍କା ବଦଳରେ ୧୮୮୫ ଟଙ୍କାରେ ମିଳିବ । ଏଥି ସହିତ, ଏହା ପୂର୍ବରୁ କୋଲକାତାରେ ୨୦୯୫.୫୦ ଟଙ୍କାରେ ମିଳୁଥିଲା, କିନ୍ତୁ ସେପ୍ଟେମ୍ୱର ୧ରୁ ଏହି ସିଲିଣ୍ଡର ୧୯୫୫.୫୦ ଟଙ୍କାରେ ଉପଲବ୍ଧ ହେବ । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ୧୯୫୫.୫୦ ଟଙ୍କାରେ ମିଳିବ । ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ମୁମ୍ବାଇରେ ୧୮୪୪ ଟଙ୍କା ଓ ଚେନ୍ନାଇରେ ୨,୦୪୫ ଟଙ୍କାକୁ ଖସି ଆସିଛି ।