ରାଷ୍ଟ୍ରପତି ନିର୍ବାଚନ : ଆଜି ନାମାଙ୍କନ ଦାଖଲ କରିବେ ବିରୋଧୀ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନା
ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ଭରିବେ ବିରୋଧୀ ଦଳ ପ୍ରାର୍ଥୀ ଯଶୱନ୍ତ ସିହ୍ନା । ରାଜ୍ୟସଭା ମହାସଚିବଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିବେ । ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନସିପି ମୁଖ୍ୟ ଶରଦ ପାୱାର, ଶରଦ ଯାଦବ, ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ବିରୋଧୀ ଦଳର ତୁଙ୍ଗ ନେତା ମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ଯଶୱନ୍ତ ସିହ୍ନାଙ୍କୁ ଟିଏମସି, କଂଗ୍ରେସ, ସମାଜବାଦୀ ପାର୍ଟି, ଆରଜେଡି ପ୍ରମୁଖ ସମର୍ଥନ କରୁଛନ୍ତି। ତେବେ ଜୁନ ୨୪ରେ ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି ।
ସୂଚନା ଯେ, ଆସନ୍ତା ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ମାତ୍ର ନିର୍ବାଚନ ପୂର୍ବରୁ ଦ୍ରୌପଦୀଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି । ବିଶେଷ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡୀଙ୍କ ସମର୍ଥନ ଘୋଷଣା ପରେ ଦ୍ରୌପଦୀଙ୍କ ପାଇଁ ରାଇସିନା ରେସ୍ ବେଶ ସହଜ ହୋଇଯାଇଛି । ରାଷ୍ଟ୍ରପତି ପାଇଁ ମୋଟ୍ ଭୋଟ୍ ମୂଲ୍ୟ ୧୦ଲକ୍ଷ ୮୬ହଜାର ୪୩୧ । ଏନଡିଏ ପାଖରେ ରହିଛି ୫ଲକ୍ଷ ୨୫ହଜାର ବା ୪୮.୯% ଭୋଟ୍ । ବିଜେଡି ପାଖରେ ରହିଥିବା ଭୋଟର ମୂଲ୍ୟ ୩୧,୬୮୬ ବା ୨.୮୫% । ସେହିପରି ଜଗନଙ୍କ ପାଖରେ ଥିବା ଭୋଟର ମୂଲ୍ୟ ୪୫ହଜାର ୫୫୦ ବା ୪% । ତେଣୁ ଜଗନ ଓ ନବୀନଙ୍କ ସମର୍ଥନ ପରେ ଦ୍ରୌପଦୀଙ୍କ ଭୋଟ୍ ପ୍ରତିଶତ ପହଞ୍ଚିଯାଉଛି ୫୫.୭୫%ରେ । ବିଜୟ ପାଇଁ ଭୋଟ୍ ମୂଲ୍ୟ ୫ଲକ୍ଷ ୪୩ହଜାର ୨୧୬ ଥିବାବେଳେ ବିଜେଡି ଓ ୱାଇଏସଆରସିପିର ସହଯୋଗ ପରେ ତାଙ୍କୁ ମିଳିବ ୬ଲକ୍ଷ ୨ହଜାର ୯୪୨ ଭୋଟ୍ ।