ରାଷ୍ଟ୍ରପତି ନିର୍ବାଚନ : ଦ୍ରୌପଦୀ ମୁର୍ମୁଙ୍କୁ ୬୪% ଓ ଯଶୱନ୍ତ ସିହ୍ନାଙ୍କୁ ୩୬% ଭୋଟ
୩ ରାଜ୍ୟରୁ ଗୋଟିଏ ବି ଭୋଟ ପାଇନାହାନ୍ତି ଯଶୱନ୍ତ ସିହ୍ନା
ନୂଆଦିଲ୍ଲୀ : ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ସେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ହରାଇ ପ୍ରଥମ ଆଦିବାସୀ ମହିଳା ଭାବେ ଦେଶର ସର୍ବୋଚ୍ଚ ପଦରେ ବସିବାକୁ ଯାଉଛନ୍ତି। ତାଙ୍କ ଭୋଟ ଭାଗ ୬୪% ଥିବା ବେଳେ ଯଶୱନ୍ତ ସିହ୍ନାଙ୍କୁ ମିଳିଛି ୩୬% ଭୋଟ। ଦ୍ରୌପଦୀ ମୁର୍ମୁଙ୍କୁ ୨୮୨୪ ଜଣ ସାଂସଦ ଓ ବିଧାୟକଙ୍କ ଭୋଟ ମିଳିଛି। ଏହାର ମୂଲ୍ୟ ୬,୭୬,୮୦୩। ରାଷ୍ଟ୍ରପତି ଭାବେ ନିର୍ବାଚନ ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କ ଭୋଟ ମୂଲ୍ୟ ୫,୨୮, ୪୯୧ ହେବାର ଆବଶ୍ୟକ ଥିଲା। ହେଲେ ଦ୍ରୌପଦୀ ମୁର୍ମୁଙ୍କ ଭୋଟ ମୂଲ୍ୟ ୬ ଲକ୍ଷରୁ ଅଧିକ। ସେହିପରି ଯଶୱନ୍ତ ସିହ୍ନା ୧୮୭୭ ଖଣ୍ଡ ଭୋଟ ପାଇଛନ୍ତି। ଏହାର ମୂଲ୍ୟ ୩,୮୦,୧୭୭। ଦ୍ରୌପଦୀଙ୍କ ଭୋଟ ମୂଲ୍ୟ ଯଶୱନ୍ତଙ୍କ ଠାରୁ ଅଧିକ ଥିବାରୁ ରିଟର୍ଣ୍ଣିଂ ଅଫିସର ପିସି ମୋଡୀ ଗୁରୁବାର ରାତି ପ୍ରାୟ ୯ଟା ୪୦ରେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ବିଜେତା ଘୋଷଣା କରିଛନ୍ତି।
ରିଟର୍ଣ୍ଣିଂ ଅଫିସରଙ୍କ ସୂଚନା ଅନୁସାରେ, ୪୭୫୪ ଭୋଟ ରାଷ୍ଟ୍ରପତି ନିର୍ବାଚନରେ ପଡ଼ିଥିଲା। ଏହା ମଧ୍ୟରୁ ୪୭୦୧ ବୈଧ ଭୋଟ ହୋଇଥିବା ବେଳେ ୫୩ ଖଣ୍ଡ ଭୋଟ ନାକଚ ହୋଇ ଯାଇଛି। ଏହା ମଧ୍ୟରେ ୧୫ ଜଣ ସାଂସଦଙ୍କ ଭୋଟ ମଧ୍ୟ ରହିଛି। ତେବେ କେଉଁ ରାଜ୍ୟରେ ଉଭୟ ଦ୍ରୌପଦୀ ଓ ଯଶୱନ୍ତଙ୍କୁ କେତେ ଭୋଟ ମିଳିଛି, ତା’ର ଚିତ୍ର ସାମ୍ନାକୁ ଆସିଛି। ନିର୍ବାଚନ ଜିତିଥିବା ମୁର୍ମୁଙ୍କୁ ଦେଶର ସବୁ ରାଜ୍ୟରୁ ଭୋଟ ମିଳିଛି। ହେଲେ ଯଶୱନ୍ତ ସିହ୍ନାଙ୍କୁ ଆନ୍ଧ୍ର ପ୍ରଦେଶ, ସିକ୍କିମ ଓ ନାଗାଲ୍ୟାଣ୍ଡରୁ ଗୋଟିଏ ହେଲେ ବି ଭୋଟ ମିଳିନି। ଆନ୍ଧ୍ରର ୧୭୫ ଜଣ ବିଧାୟକଙ୍କ ମଧ୍ୟରୁ ୧୭୩ ଜଣ ଭୋଟ ଦେଇଥିଲେ। ସମସ୍ତ ୧୭୩ ଜଣ ବିଧାୟକଙ୍କ ଭୋଟ ବୈଧ ଥିବା ବେଳେ ସବୁତକ ଭୋଟ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଯାଇଛି। ନାଗାଲ୍ୟାଣ୍ଡର ୬୦ ଜଣ ବିଧାୟକଙ୍କ ମଧ୍ୟରୁ ୫୯ ଜଣ ଭୋଟ ଦେଇଥିଲେ। ସମସ୍ତ ୫୯ ଜଣ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି। ସିକ୍କିମର ୩୨ ଜଣ ବିଧାୟକ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଛନ୍ତି।
ଦ୍ରୌପଦୀଙ୍କ ପୂର୍ବରୁ ୧୪ ଜଣ ରାଜନେତା ଦେଶର ସର୍ବୋଚ୍ଚ ପଦରେ ବସିବାର ଗୌରବ ହାସଲ କରିଛନ୍ତି। ଏହି ୧୪ ଜଣଙ୍କ ମଧ୍ୟ ଦେଶର ପ୍ରଥମ ରାଷ୍ଟ୍ରପତି ଡ ରାଜେନ୍ଦ୍ର ପ୍ରସାଦ ଦୁଇ ଥର ରାଇସିନା ହିଲ୍କୁ ଯିବାର ସୌଭାଗ୍ୟ ପାଇଛନ୍ତି। ସେ ୧୯୫୨ ଓ ୧୯୫୭ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିଥିଲେ। ସେହିପରି ସର୍ବାଧିକ ଭୋଟ ପାଇ ବିଜୟ ହାସଲ କରିଥିବା ରେକର୍ଡ ମଧ୍ୟ ତାଙ୍କ ନାଁରେ ରହିଛି। ୧୯୫୨ରେ ରାଜେନ୍ଦ୍ର ପ୍ରସାଦଙ୍କ ଭୋଟ ଭାଗ ୮୩.୮୧% ଥିଲା। ଦ୍ୱିତୀୟ ସ୍ଥାନରେ ଥିବା ପ୍ରାର୍ଥୀଙ୍କ ଭୋଟ ଭାଗ ମାତ୍ର ୧୫.୩୩% ଥିଲା। ତେବେ ୧୯୫୭ରେ ରାଜେନ୍ଦ୍ର ପ୍ରସାଦ ରେକର୍ଡ କରିଥିଲେ। ସେହିବର୍ଷ ତାଙ୍କ ସପକ୍ଷରେ ୯୮.୯୯% ଭୋଟ ପଡ଼ିଥିଲା। ଏଯାଏ ଏହି ରେକର୍ଡ କେହି ବି ଭାଙ୍ଗି ପାରି ନାହାନ୍ତି।ତାଙ୍କ ପଛକୁ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ରହିଛନ୍ତି। ସେ ୧୯୬୨ରୁ ୧୯୬୭ ଯାଏ ଦେଶର ରାଷ୍ଟ୍ରପତି ଭାବେ କାମ କରିଥିଲେ। ତାଙ୍କ ଭୋଟ ଭାଗ ୯୮.୨୫% ଥିଲା। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ସଦସ୍ୟଙ୍କୁ ମାତ୍ର ୧.୧୩% ଭୋଟ ମିଳିଥିଲା।
ନିର୍ଦ୍ୱନ୍ଦ୍ୱରେ ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ଏକମାତ୍ର ସଦସ୍ୟ ହେଉଛନ୍ତି ନୀଲମ ସଞ୍ଜୀବ ରେଡ୍ଡି। ସେ ୧୯୭୭ରେ ଏହି ରେକର୍ଡ କରିଥିଲେ। କ୍ଷମତାସୀନ ଜନତା ପାର୍ଟି ସମର୍ଥନରେ ସେ ଜିତିଥିଲେ। ତାଙ୍କ ବିରୋଧରେ ୩୬ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। କିନ୍ତୁ ସମସ୍ତଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଥିଲା। ଏହାପୂର୍ବରୁ ୧୯୬୯ରେ ସେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ତାଙ୍କୁ ହାରିବାକୁ ପଡ଼ିଥିଲା। ରାଷ୍ଟ୍ରପତି ନିର୍ବାଚନ ଇତିହାସରେ ଭିଭି ଗିରି ସବୁଠୁ କମ୍ ଭୋଟ୍ରେ ଜିତିଛନ୍ତି। ସେ ଦେଶର ପ୍ରଥମ ତଥା ଏକମାତ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ତାଙ୍କ ବିପକ୍ଷରେ କଂଗ୍ରେସ ପକ୍ଷରୁ ନୀଲମ ସଞ୍ଜୀବ ରେଡ୍ଡି ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଭିଭି ଗିରି ୫୦.୯% ଭୋଟ ସହ ନିର୍ବାଚନ ଜିତିଥିଲେ। ୧୯୬୭ ରାଷ୍ଟ୍ରପତି ନିର୍ବାଚନରେ ଜାକିର ହୁସେନ ୫୬.୨% ଭୋଟ ପାଇ ଜିତିଥିଲେ। ସେ ଦେଶର ପ୍ରଥମ ମୁସଲିମ ରାଷ୍ଟ୍ରପତି ହୋଇଥିଲେ। ରାଷ୍ଟ୍ରପତି ନିର୍ବାଚନରେ ୩ଥର ୯୦%ରୁ ଅଧିକ ଭୋଟ ପାଇ ଜଣେ ସଦସ୍ୟ ବିଜୟୀ ହୋଇଛନ୍ତି। ଡ ରାଜେନ୍ଦ୍ର ପ୍ରସାଦ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପରେ କେଆର ନାରାୟଣ ୧୯୯୭ରେ ୯୪.୯୭% ଭୋଟ ପାଇ ରାଷ୍ଟ୍ରପତି ହୋଇଥିଲେ। ଡ ଏପିଜେ ଅବଦୁଲ କଲାମ ମଧ୍ୟ ୯୦% ପାଖାପାଖି ଭୋଟ ପାଇଥିଲେ। ୨୦୦୨ରେ ରାଷ୍ଟ୍ରପତି ହୋଇଥିବା କଲାମଙ୍କୁ ୮୯.୫୮% ଭୋଟ ମିଳିଥିଲା।