ରାଷ୍ଟ୍ରପତି ନିର୍ବାଚନ : ଏହି ପ୍ରାର୍ଥୀଙ୍କୁ ସମର୍ଥନ କରିବ ବିଏସପି, ଘୋଷଣା କଲେ ମାୟାବତୀ
ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନକୁ ନେଇ ବହୁଜନ ସମାଜବାଦୀ ପାର୍ଟି (ବିଏସପି) ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ବିଏସପି ମୁଖ୍ୟ ମାୟାବତୀ ଏକ ସାମ୍ବାଦିକ ସମ୍ମିଳନୀ କରି ଶନିବାର ଏକ ବଡ଼ ଘୋଷଣା କରିଛନ୍ତି । ଏହି ସମୟ ସେ ସ୍ପଷ୍ଟ କରିଛନ୍ତି ଯେ, ବିଏସପି ରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ନା ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ।
ବିଏସପି ମୁଖ୍ୟ ମାୟାବତୀ କହିଛନ୍ତି ଯେ, ଆମର ଦଳ ଆଦିବାସୀ ସମାଜକୁ ନିଜର ଆନ୍ଦୋଳନର ଏକ ବିଶେଷ ଅଂଶ ଭାବରେ ମନେ କରେ । ତେଣୁ ରାଷ୍ଟ୍ରପତି ପଦ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଆମର ଦଳ ନିଷ୍ପତ୍ତି ନେଇଛି । ଆମେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଜେପି ଓ ଏନଡିଏ ସପକ୍ଷ କିମ୍ବା ବିରୋଧୀ ଦଳ ବିପକ୍ଷରେ ନେଇନାହୁଁ । ବରଂ ଆମ ଦଳର ଆନ୍ଦୋଳନକୁ ଧ୍ୟାନରେ ରଖି ଆଦିବାସୀ ସମାଜର ଜଣେ ଦକ୍ଷ ତଥା ପରିଶ୍ରମୀ ମହିଳାଙ୍କୁ ଦେଶର ରାଷ୍ଟ୍ରପତି କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ସେହିପରି ବିଏସପି ଗରିବ ଓ ଦଳିତଙ୍କ ଦଳ । ବିଜେପି କେବଳ ରାଷ୍ଟ୍ରପତି ନିର୍ବାଚନରେ କଥାବାର୍ତ୍ତା ହେବାର ଦେଖାଣିଆ କରିଛି । ଶରଦ ପାୱାର ଓ ମମତା ବାନାର୍ଜୀ ବିଏସପିକୁ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମନ୍ତ୍ରଣ କରିନଥିଲେ । କିନ୍ତୁ ଆମ ଦଳ ମିଛ ପ୍ରତିଶୃତି କରୁନାହିଁ । ଆମେମାନେ ମାନବବାଦୀ ଚିନ୍ତାଧାରାର । ସେ କହିଛନ୍ତି ଯେ, କଂଗ୍ରେସ ଓ ବିଜେପି ଆମ୍ବେଦକରଙ୍କ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବାକୁ ଚାହୁଁ ନାହାଁନ୍ତି । ଉତ୍ତର ପ୍ରଦେଶରେ ୪ ଥର ବିଏସପି ଶାସନକାଳରେ ବିକାଶ ଘଟିଛି । କିନ୍ତୁ ଜାତିଭିତ୍ତିକ ମାନସିକତାର ଲୋକମାନେ ବିଏସପି ପ୍ରତି ନିମ୍ନ ମାନସିକତା ରଖିଛନ୍ତି । ସେହିପରି କେନ୍ଦ୍ରର ପାର୍ଟି ସର୍ବଦା ବିଏସପିକୁ ଭାଙ୍ଗି ଥାଏ ।
ଏଠାରେ କହି ରଖୁଛୁ ଯେ, ରାଷ୍ଟ୍ରପତିଙ୍କ ନିର୍ବାଚନୀ କଲେଜ ହେଉଛି ୧୦,୯୦,୯୦୩ ଭୋଟ୍ । ଏଥିରେ ବିଜୟ ହାସଲ ପାଇଁ ସଂଖ୍ୟାଗରିଷ୍ଠତା ସଂଖ୍ୟା ହେଉଛି ୫,୪୯,୪୫୨ । ଏଥିରେ ଜଣେ ସାଂସଦଙ୍କ ଭୋଟ୍ ମୂଲ୍ୟ ୭୦୮ ରହିଥାଏ । ଦେଶର ୪,୧୨୦ ବିଧାୟକଙ୍କ ମଧ୍ୟରେ ପ୍ରତ୍ୟେକ ରାଜ୍ୟର ଜନସଂଖ୍ୟା ଓ ଆସନ ସଂଖ୍ୟା ଉପରେ ନିର୍ଭର କରି ଜଣେ ବିଧାୟକଙ୍କ ଭୋଟର ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ । ଉତ୍ତର ପ୍ରଦେଶର ବିଧାୟକଙ୍କ ସବୁଠାରୁ ଅଧିକ ୨୦୮ ଭୋଟ୍ ମୂଲ୍ୟ ରହିଛି । ବିଜେଡି ଓ ୱାଇଏସଆରର ସମର୍ଥନରେ ଏହି ସଂଖ୍ୟା ପୂରଣ ହେବାର ସମ୍ଭାବନା ଅଛି । କିନ୍ତୁ ବର୍ତ୍ତମାନ ବିଏସପି ଏନଡିଏ ପ୍ରାର୍ଥୀଙ୍କ ସମର୍ଥନ କରିବାର ଘୋଷଣା ପରେ ତାଙ୍କ ବିଜୟର ମାର୍ଜିନ ବଢ଼ିବାର ସମ୍ଭାବନା ରହିଛି ।