ତୃତୀୟ ଜାତୀୟ ଜଳ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ : ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ନୂଆଦିଲ୍ଲୀ ଠାରେ ତୃତୀୟ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତିଙ୍କ କରକମଳରେ ଜଳ ଶକ୍ତି ଅଭିଯାନ : କ୍ୟାଚ୍ ଦ ରେନ୍ କ୍ୟାମ୍ପେନ୍ (ବର୍ଷା ଜଳ ସଂରକ୍ଷଣ ଅଭିଯାନ) ୨୦୨୨ର ଶୁଭାରମ୍ଭ କରାଯାଇଥିଲା । ଏହି ଉପଲକ୍ଷେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ, ଆମ ଦୈନନ୍ଦିନ ଜୀବନ ଏବଂ ପୃଥିବୀ ପାଇଁ ଜଳର ଜରୁରି ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବାର ଲକ୍ଷ୍ୟ ନେଇ ଜଳ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତୀୟ ଜଳ ପୁରସ୍କାର ପ୍ରଦାନ କରାଯାଉଛି । ଏଥିସହିତ ଜଳ ସଂରକ୍ଷଣ ଅଭିଯାନର ସମ୍ପ୍ରସାରଣ ହୋଇଛି । ଏପରି ଉଦ୍ୟମ ବାସ୍ତବରେ ପ୍ରଶଂସନୀୟ ବୋଲି ରାଷ୍ଟ୍ରପତି କହିଥିଲେ । ସେ ଆହୁରି କହିଥିଲେ ଯେ, ଜଳ ଶକ୍ତି ଅଭିଯାନ : କ୍ୟାଚ୍ ଦ ରେନ୍ କ୍ୟାମ୍ପେନ୍ ୨୦୨୨ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ତାଙ୍କ ପାଇଁ ଖୁସିର ବିଷୟ । ଅଭିଯାନର ଚଳିତ ସଂସ୍କରଣ ସହ ଗଭୀର ଭାବେ ଯୋଡ଼ି ହେବା ଲାଗି ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ରାଷ୍ଟ୍ରପତି କହିଥିଲେ ଯେ, ଜଳ ସଂରକ୍ଷଣ କ୍ଷେତ୍ରରେ ସ୍ଥାନୀୟ ଅଂଚଳର ପ୍ରତ୍ୟେକ ଲୋକଙ୍କୁ ସକ୍ରିୟ ଭାବେ ସାମିଲ କରିବା ଲାଗି ଜିଲ୍ଲାପାଳ ଏବଂ ଗ୍ରାମପଂଚାୟତର ସରପଂଚମାନେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ । ଭାରତରେ ଯେପରି ଭାବେ ବିଶ୍ୱର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି ଏବଂ ଦେଶ ଏ କ୍ଷେତ୍ରରେ ଇତିହାସ ରଚିଛି, ଠିକ୍ ସେହିପରି ଆମେ ସମସ୍ତେ ମିଶି ଇତିହାସର ସବୁଠୁ ବଡ଼ ଜଳ ସଂରକ୍ଷଣ ଅଭିଯାନକୁ କାର୍ଯ୍ୟକାରୀ କରି ପାରିବା ବୋଲି ରାଷ୍ଟ୍ରପତି କହିଥିଲେ ।
ରାଷ୍ଟ୍ରପତି କହିଥିଲେ ଯେ, ‘ଜଳ ହିଁ ଜୀବନ’ ଉକ୍ତି ଯଥାର୍ଥ । ଜଳ ଉତ୍ସ ଆକାରରେ ପ୍ରକୃତି ମାନବତାକୁ ଏକ ମହାନ ବରଦାନ ଦେଇଛି । ପ୍ରକୃତି ଆମକୁ ବିଶାଳ ନଦୀ ଭେଟି ଦେଇଛି, ଯାହାର ତଟରେ ମହାନ ସଭ୍ୟତା ବିକଶିତ ହୋଇଛି । ଭାରତୀୟ ସଂସ୍କୃତିରେ ନଦୀମାନଙ୍କର ବିଶେଷ ଗୁରୁତ୍ୱ ରହିଛି ଏବଂ ନଦୀକୁ ଆମ ଦେଶରେ ମା’ ରୂପରେ ପୂଜା କରାଯାଇଥାଏ । ନଦୀମାନଙ୍କର ପୂଜା ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି । ଉତରାଖଣ୍ଡରେ ଗଙ୍ଗା ଓ ଯମୁନାଙ୍କୁ ପୂଜା କରାଯାଇଥାଏ, ମଧ୍ୟପ୍ରଦେଶରେ ନର୍ମଦା ଏବଂ ପଶ୍ଚିମବଙ୍ଗରେ ଗଙ୍ଗା-ସାଗରଙ୍କୁ ପୂଜା କରାଯାଏ । ଏପରି ଧାର୍ମିକ ପ୍ରଥା ଆମକୁ ପ୍ରକୃତି ସହ ବାନ୍ଧି ରଖିଥାଏ । ପୁଷ୍କରିଣୀ ଏବ କୂଅ ଖୋଳିବା କାର୍ଯ୍ୟକୁ ପୂର୍ବରୁ ଧାର୍ମିକ ବୋଲି ବିବେଚନା କରାଯାଉଥିଲା । ଦୁର୍ଭାଗ୍ୟବଶତଃ ଆଧୁନିକତା ଏବଂ ଶିଳ୍ପ ଅର୍ଥବ୍ୟବସ୍ଥାର ଅଭ୍ୟୁଦୟ କାରଣରୁ ପ୍ରକୃତି ସହ ଆମର ଏହି ସମ୍ପର୍କ ଧୀରେ ଧୀରେ ବିଚ୍ଛିନ୍ନ ହେବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ମଧ୍ୟ ଆଉ ଏକ କାରଣ । ଆମର ଅସ୍ଥିତ୍ୱ ପାଇଁ ଜରୁରି ପ୍ରକୃତି ସହ ଆମର ସମ୍ପର୍କ ବିଚ୍ଛିନ୍ନ ହେବା ଭଳି ପ୍ରତୀୟମାନ ହେଉଛି । ଆମେ କଷ୍ଟକର ଯମୁନେତ୍ରୀ ଯାତ୍ରାରେ ଯାଇ ଯମୁନାଙ୍କ ପ୍ରତି ଆମର କୃତଜ୍ଞତା ବ୍ୟକ୍ତ କରିଥାଉ ଏବଂ ତାଙ୍କୁ ପୂଜା କରିଥାଉ । କିନ୍ତୁ ରାଜଧାନୀ ଦିଲ୍ଲୀକୁ ଆସିଲେ, ସେହି ନଦୀ ବ୍ୟାପକ ପ୍ରଦୂଷିତ ହୋଇଥିବାର ଆମେ ଦେଖିଥାଉ, ଯାହାକି ଆମର ସହରୀ ଜୀବନ ପାଇଁ ଆଦୌ ଉପଯୋଗୀ ନୁହେଁ ।
ରାଷ୍ଟ୍ରପତି କହିଥିଲେ ଯେ ପୁଷ୍କିରଣୀ ଏବଂ ହ୍ରଦ ଭଳି ଜଳ ଉତ୍ସ, ଯାହା ବର୍ଷ ସାରା ସହରକୁ ପାଣି ଯୋଗାଇ ଥାଏ, ସେଗୁଡ଼ିକ ମଧ୍ୟ ଦ୍ରୁତ ସହରୀକରଣ ଚାପ କାରଣରୁ ନିଶ୍ଚିହ୍ନ ହେବାକୁ ଲାଗିଲେଣି । ଏହା ଜଳ ପରିଚାଳନାକୁ ଅତ୍ୟନ୍ତ ଜଟିଳ କରି ଦେଇଛି । ଭୂତଳ ଜଳ ପରିମାଣ କମିବାରେ ଲାଗିଛି ଏବଂ ଏହାର ସ୍ତର ଧୀରେ ଧୀରେ ତଳକୁ ଖସି ଚାଲିଛି । ଗୋଟିଏ ପଟେ ସହରଗୁଡ଼ିକ ଦୂରବର୍ତୀ ସ୍ଥାନରୁ ସେମାନଙ୍କ ଉପଯୋଗ ପାଇଁ ପାଣି ଆଣୁଛନ୍ତି, ଅନ୍ୟପଟେ ବର୍ଷା ଦିନେ ସହରର ରାସ୍ତାଘାଟ ବନ୍ୟା ଜଳରେ ବୁଡ଼ି ଯାଉଛି । ସେ କହିଥିଲେ ଯେ, ଗତ କିଛିଦିନ ହେବ ଜଳ ପରିଚାଳନାରେ ଏହି ବିରୋଧାଭାସକୁ ନେଇ ବୈଜ୍ଞାନିକ ଏବଂ ଜଳସଂରକ୍ଷଣ କର୍ମୀମାନେ ମଧ୍ୟ ଚିନ୍ତା ବ୍ୟକ୍ତ କରୁଛନ୍ତି । ଭାରତରେ, ଏହି ସମସ୍ୟା ଅଧିକ ଗମ୍ଭୀର କାରଣ ଆମ ଦେଶରେ ବିଶ୍ୱ ଜନସଂଖ୍ୟାର ୧୮ ଭାଗ ଲୋକ ରହୁଛନ୍ତି, ଅନ୍ୟପଟେ ଆମ ପାଖରେ ମାତ୍ର ୪ ପ୍ରତିଶତ ମଧୁର ଜଳ ଉତ୍ସ ରହିଛି । ଜଳର ଉପଲବ୍ଧତା ଅନିଶ୍ଚିତ ଏବଂ ଏହା ବ୍ୟାପକ ପରିମାଣରେ ବର୍ଷା ଜଳ ଉପରେ ନିର୍ଭର କରିଥାଏ ।