ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା କଲେ ୟୁକ୍ରେନ ରାଷ୍ଟ୍ରପତି
ସାହାଯ୍ୟ ପାଇଁ କଲେ ନିବେଦନ
ନୂଆଦିଲ୍ଳୀ : ରୁଷର ସୈନ୍ୟ ୟୁକ୍ରେନରେ ଭୟଙ୍କର ତାଣ୍ଡବ ରଚି ଆଗକୁ ବଢୁଛି । ୟୁକ୍ରେନ ସେନା ଋଷ ସେନାକୁ ଅଟକାଇବାକୁ ଯଥାସମ୍ଭାବ ଉଦ୍ୟମ କରୁଛନ୍ତି । ଏହାରି ଭିତରେ ପୁଣି ଥରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇ ନିଜ ଦେଶରେ ରୁଷର ଆକ୍ରମଣ ଉପରେ ସୂଚନା ଦେଇଛନ୍ତି ।
ରାଷ୍ଟ୍ରପତି ଜେଲେନସ୍କି ଏକ ଟ୍ୱିଟ କରି କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେଲି । ଆକ୍ରମଣକୁ ରୋକିବା ଉପାୟ ବାବଦରେ ଜଣାଇଲି । ଆମ ମାଟିରେ ୧,୦୦,୦୦୦ରୁ ଅଧିକ ଆକ୍ରମଣକାରୀ ପ୍ରବେଶ କରିଛନ୍ତି । ଲୁଚି ରହି ସେମାନେ ବିଲ୍ଡିଂ ଗୁଡିକ ଉପରେ ଆକ୍ରମଣ କରୁଛନ୍ତି । ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ରାଜନୈତିକ ସମର୍ଥନ ଜଣାଇବା ପାଇଁ ଆଗ୍ରହ କରିଛି । ଆସନ୍ତୁ ସମସ୍ତେ ମିଶି ଆକ୍ରମଣକୁ ଅଟକାଇବା’ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଯୁଦ୍ଧ ଯୋଗୁଁ ଧନଜୀବନ କ୍ଷତି ଉପରେ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି । ହିଂସାକୁ ତତ୍କାଳ ଶେଷ ଏବଂ ଆଲୋଚନା ପାଇଁ ନିଜର ଆହ୍ୱାନକୁ ପୁଣି ଦୋହରାଇଛନ୍ତି । ଶାନ୍ତି ପ୍ରୟାସରେ ଯେକୌଣସି ଯୋଗଦାନ ପାଇଁ ଭାରତ ଇଚ୍ଛା ପ୍ରକାଶ କରିଛି ।