ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କଲେ ମାଳଦୀପ ରାଷ୍ଟ୍ରପତି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କଲେ ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିଙ୍କ । ଏହି ଆଲୋଚନା ପରେ ଅନେକ ରାଜିନାମା ସ୍ୱାକ୍ଷରିତ ହୋଇଥିବା ଜଣାପଡିଛି। ଶ୍ରୀ ସୋଲି ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି।
ଚାରି ଦିନିଆ ଭାରତ ଗସ୍ତରେ ଆସିଥିବା ମାଳଦୀପ ରାଷ୍ଟ୍ରପତି ଗତ ସୋମବାର ଶ୍ରୀ ସୋଲି ନୂଆଦିଲ୍ଲୀରେ ପହଂଚିବା ପରେ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବଲିଆଁ ତାଙ୍କୁ ସ୍ୱାଗତ କରିଥିଲେ। ମାଳଦୀପ ରାଷ୍ଟ୍ରପତିଙ୍କ ସହ ସେଠାକାର ଏକ ଉଚ୍ଚସ୍ତରୀୟ ଅଧିକାରୀ ଓ ଏକ ବ୍ୟବସାୟିକ ପ୍ରତିନିଧି ଦଳ ଆସିଛନ୍ତି। ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଗତ ସନ୍ଧ୍ୟାରେ ମାଳଦୀପ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ। ଏକ ଟ୍ୱିଟ୍ କରି ଶ୍ରୀ ଜୟଶଙ୍କର କହିଛନ୍ତି ଭାରତର ‘ପଡ଼ୋଶୀ ଦେଶ ପ୍ରଥମେ’ ନୀତି ଓ ମାଳଦୀପର ‘ଭାରତ ପ୍ରଥମ ନୀତି’ ପରସ୍ପରର ପରିପୂରକ। ଏହି ନୀତି ଯୋଗୁଁ ଉଭୟ ପକ୍ଷ ମଧ୍ୟରେ ଭାଗିଦାରୀ ସମ୍ପର୍କରେ ଉନ୍ନତି ଘଟିଥିବା ସେ କହିଛନ୍ତି।
ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା କାଳରେ ଗ୍ରେଟର ମାଲେରେ ଭାରତ ପକ୍ଷରୁ କରାଯାଉଥିବା ସୋସିଆଲ ହାଉସିଂ ୟୁନିଟ ପ୍ରକଳ୍ପ ନିର୍ମାଣର ସମୀକ୍ଷା କରାଯାଇଛି। ଭାରତ ଅଧିକ ୨ ହଜାର ସୋସିଆଲ ହାଉସିଂ ୟୁନିଟ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବ ବୋଲି ଶ୍ରୀ ମୋଦୀ ଘୋଷଣା କରିଛନ୍ତି। ସେଠାରେ ଚାଲୁ ରହିଥିବା ପ୍ରକଳ୍ପଗୁଡିକ ଯେଭଳି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ ତାହା ନିଶ୍ଚିତ କରିବା ପାଇଁ ଭାରତ ଅତିରିକ୍ତ ୧୦୦ ମିଲିଅନ ଡଲାର ଋଣ ଯୋଗାଇ ଦେବା ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଅବସରରେ ଶ୍ରୀ ମୋଦୀ ଅପରାଧ, ଆତଙ୍କବାଦ ଓ ନିଶାଦ୍ରବ୍ୟ କାରବାର ଦିନକୁ ଦିନ ଗମ୍ଭୀର ଆକାର ଧାରଣ ଅରୁଥିବା କହିଛନ୍ତି। ତେଣୁ ଉଭୟ ଦେଶ ମଧ୍ୟରେ ସୁରକ୍ଷା ଜଡିତ ସମ୍ପର୍କ ଆହୁରି ଦୃଢ଼ୀଭୁତ ହେବା ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ମାଳଦୀପର ପ୍ରତ୍ୟେକଟି ସମସ୍ୟାର ସମାଧାନ ନିମନ୍ତେ ଭାରତ ପ୍ରଥମେ ସହାୟତା ଦେଇଛି ଓ ଏହା ଜାରି ରହିବ।