୨୦୨୧-୨୨ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ, ଲକ୍ଷେ ଟପିଲା ମୁଣ୍ଡପିଛା ଆୟ
ମୁଣ୍ଡପିଛା ଆୟ ଦ୍ୱିଗୁଣା, ତଥାପି ଜାତୀୟ ହାରଠାରୁ କମ୍
ଭୁବନେଶ୍ୱର : ୨୦୨୧-୨୨ ବର୍ଷ ପାଇଁ ବିଧାନସଭାରେ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ଏହି ବର୍ଷରେ ରାଜ୍ୟରେ ଅଭିବୃଦ୍ଧି ହାର ୧୦.୧ ରହିବା ଆକଳନ କରାଯାଇଛି । ଗତ ବର୍ଷ ଅର୍ଥାତ ୨୦୨୦-୨୧ ବର୍ଷରେ ଆର୍ଥିକ ଅଭିବୃଦ୍ଧି ହାର ୫.୩ ଥିଲା । ଜାତୀୟ ଅଭିବୃଦ୍ଧି ହାର ରାଜ୍ୟର ଅଭିବୃଦ୍ଧି ହାର ଠାରୁ କମ୍ ରହିଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ରାଜ୍ୟରେ ମୁଣ୍ଡପିଛା ଆୟ ୨୦୧୧-୧୨ ତୁଳନାରେ ଦ୍ୱିଗୁଣିତ ହୋଇଛି । ୨୦୧୧-୧୨ରେ ମୁଣ୍ଡପିଛା ଆୟ ୪୮,୪୯୯ଟଙ୍କା ରହିଥିଲା । ବର୍ତ୍ତମାନର ମୁଣ୍ଡପିଛା ଆୟ ବାର୍ଷିକ ୧ ଲକ୍ଷ ୨୭ ହଜାର ୩୮୩କୁ ବୃଦ୍ଧି ପାଇଛି ।
ଓଡ଼ିଶା ବିଧାନସଭାରେ ମଙ୍ଗଳବାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଉପସ୍ଥାପନ କରିଛନ୍ତି । ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ଓଡ଼ିଶା ଅର୍ଥନୀତି ଧୀରେ ଧୀରେ କୋଭିଡ ମହାମାରୀର ପ୍ରଭାବକୁ ଅତିକ୍ରମ କରି ଦ୍ରୁତ ଅଭିବୃଦ୍ଧି ହାସଲ କରୁଛି । ମହାମାରୀର ଗୁରୁତର ପ୍ରଭାବ ଯୋଗୁଁ ୨୦୨୦-୨୧ରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ( ରାଜ୍ୟ ମୋଟ ଘରୋଇ ଉତ୍ପାଦ) ୫.୩ ପ୍ରତିଶତ ହ୍ରାସ ପାଇଥିଲା । କିନ୍ତୁ ୨୦୨୧-୨୨ରେ ରାଜ୍ୟର ଅର୍ଥନୀତି ପୁଣି ଅଭିବୃଦ୍ଧି ପଥକୁ ଫେରିବା ସହ ୧୦.୧ ପ୍ରତିଶତ ଅଭିବୃଦ୍ଧି ହାସଲ କରିବ ।
ତେବେ ଚିନ୍ତାଜନକ ବିଷୟ ହେଉଛି ମହାମାରୀ ବର୍ଷ (୨୦୨୦-୨୧)ରେ ରାଜ୍ୟର ଅର୍ଥନୀତି ୭.୪ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିଥିଲା । କିନ୍ତୁ ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୨୧-୨୨ରେ ଏହା ୩.୪ ପ୍ରତିଶତ ଧୀମା ହେବା ଅଟକଳ କରାଯାଇଛି । ଅନ୍ୟପକ୍ଷରେ କରୋନା ମହାମାରୀ ଓଡ଼ିଶା ଲୋକମାନଙ୍କର ବ୍ୟକ୍ତିଗତ ଅର୍ଥନୀତିକୁ ଗୁରୁତରଭାବେ ପ୍ରଭାବିତ କରିଥିଲା । ମହାମାରୀ ପୂର୍ବବର୍ଷ ଅର୍ଥାତ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡପିଛା ଆୟ ୧୧୦,୦୮୧ ଟଙ୍କା ଥିବାବେଳେ ୨୦୨୦-୨୧ରେ ତାହା ୧,୦୯,୦୭୧ ଟଙ୍କାକୁ ହ୍ରାସ ପାଇଥିଲା । ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୨୧-୨୨ରେ ଏଥିରେ ଉନ୍ନତି ଆସି ୧୨୭,୩୮୩ ଟଙ୍କାକୁ ବୃଦ୍ଧି ପାଇବ । ତଥାପି ଓଡ଼ିଶାର ମୁଣ୍ଡପିଛା ଆୟ ଜାତୀୟ ମୁଣ୍ଡପିଛା ଆୟ ଟ.୧୫୦,୩୨୬ର ୮୪.୭ ପ୍ରତିଶତ ରହିଛି ।