ବିତ୍ତୀୟ ସମାବେଶ ସଶକ୍ତିକରଣ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ
କଟକ : ବିତ୍ତୀୟ ସେବା ବିଭାଗ ଭାରତ ସରକାରଙ୍କ ନିର୍ଦ୍ଦେଶାନୁସାରେ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଜିଲ୍ଲାପାଳଙ୍କ ସଭାଗୃହରେ ଅଗ୍ରଣୀ ବ୍ୟାଙ୍କ ଆନୁକୂଲ୍ୟରେ କଟକ ଜିଲ୍ଲା ନିମନ୍ତେ ବିତ୍ତୀୟ ସମାବେଶ ସଶକ୍ତିକରଣ କାର୍ଯ୍ୟକ୍ରମର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲାର ଗ୍ରାମାଂଚଳରେ ଥିବା ସମସ୍ତ ବ୍ୟାଙ୍କଗୁଡିକରେ ଆସନ୍ତା ୧୫ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମକର୍ତ୍ତମାନେ କିପରି ବ୍ୟାଙ୍କ ଅଧିକାରୀମାନଙ୍କ ସହିତ ଜଡିତ ହୋଇ ବିତ୍ତୀୟ ସମାବେଶ ମାଧ୍ୟମରେ ଗ୍ରାହକମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିପାରିବେ ସେ ସମ୍ବନ୍ଧରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ହିତାଧିକାରୀମାନେ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଅଗ୍ରଣୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନିଜ ଅଂଚଳର ନିକଟସ୍ଥ ବ୍ୟାଙ୍କମାନଙ୍କରେ ଜମାଖାତା ଖୋଲିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା । ଜିଲ୍ଲାର ସମସ୍ତ ଗ୍ରାମ ପଂଚାୟତମାନଙ୍କରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଓ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଯୋଜନା ତଥା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ବ୍ୟକ୍ତିଗତ ଋଣ ପ୍ରଦାନ ସହ କୃଷକ ଉତ୍ପାଦକ ସଂଘ ଏବଂ ଶସ୍ୟ ଅମଳ ପରବର୍ତ୍ତୀ ସୁବିଧା ଯଥା ଶୀତଳ ଭଣ୍ଡାର ଭିତ୍ତିଭୂମି ଆଦିର ସୁବିଧା ଉପଲବ୍ଧ କରାଇବା ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚୟନୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅମ୍ବର କୁମାର କର, କେନ୍ଦ୍ରୀୟ ବିତ୍ତ ବିଭାଗର ଉପଦେଷ୍ଟା ଲଳିତ କୁମାର, ରାଜ୍ୟ ବ୍ୟାଙ୍କ ସମୂହର ପ୍ରମୁଖ ଗୈାତମ ପାତ୍ର, ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସାଧାରଣ ପ୍ରବନ୍ଧକ ଜି ବି ପ୍ରଧାନ, ଏସବିଆଇ ଉପ ସାଧାରଣ ପ୍ରବନ୍ଧକ ମନମୋହନ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଆବାହକ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଥିଲା ବେଳେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ରାଜେଶ କୁମାର ବେହେରା ବୈଠକ ପରିଚାଳନା କରିଥିଲେ । ଆଲୋକେଶ ମହାପାତ୍ର, ସତ୍ୟନାରାୟଣ ରାଉତ ଓ ରାଜୀବ କୁମାର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ ।