‘ପରୀକ୍ଷା ପେ ଚର୍ଚ୍ଚା’ ନେଇ ପ୍ରସ୍ତୁତି ବୈଠକ
ବାଲେଶ୍ୱର : ବାଲେଶ୍ୱର ସର୍କିଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ୍ତା ୨୭ ତାରିଖ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ବାଲେଶ୍ୱର ଏମ୍ପି ପ୍ରତାପ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ ହୋଇଛି । ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସିଧାସଳଖ ଛାତ୍ରଛାତ୍ରୀଙ୍କ ସହିତ ବାର୍ତ୍ତାଳାପ କରି ପରୀକ୍ଷା ପୁର୍ବରୁ ସେମାନଙ୍କ ମନରେ ଥିବା ଦ୍ୱନ୍ଦ ଦୂର କରିବା ସହିତ ତାଙ୍କୁ ମାନସିକସ୍ତରରେ ଉଦ୍ଜୀବିତ କରାଇବେ । ପରୀକ୍ଷାର୍ଥୀଙ୍କୁ ଚାପମୁକ୍ତ କରିବା ସହିତ ଓ ପରୀକ୍ଷାକୁ ଉତ୍ସବ ସମ ପାଳନ କରିବା ପାଇଁ ପ୍ରେରଣା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ବୈଠକରେ ବହୁ ଶିକ୍ଷାବିତ୍, ସାହିତ୍ୟିକ, ସାମାଜିକ କାର୍ଯ୍ୟକର୍ତ୍ତା, କଲେଜ/ବିଶ୍ୱବିଦ୍ୟାଳୟର ଛାତ୍ର ଭାଗ ନେଇଥିଲେ । ଦେଶର ଭବିଷ୍ୟ ପିଢ଼ି ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୟାସକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ ।
ଏହି ପରିପ୍ରେକ୍ଷୀରେ ୨୩ ତାରିଖ ଷ୍ଟେସନ ଛକ ନିକଟସ୍ଥ ମଡ଼ର୍ଣ୍ଣ ପବ୍ଲିକ ସ୍କୁଲ ପରିସରରେ ଏକ ଚିତ୍ରାଙ୍କନ ପ୍ରତିଯୋଗୀତାର ଆୟୋଜିତ ହେବ । ଏହି କାର୍ଯ୍ୟକୁ ସମ୍ପାଦିତ କରିବା ପାଇଁ ଏମ୍ପିଙ୍କ ତତ୍ତ୍ୱାବଧାନରେ ଏକ ୧୬ ଜଣିଆ କମିଟି ଗଠନ କରାଯାଇଛି । ପ୍ରଫେସର କମଳାକାନ୍ତ ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମର ସଂଯୋଜନା ଦାୟିତ୍ୱ ତୁଲାଇବେ । ବାଲେଶ୍ୱର ଜିଲା ସହିତ ସଂସଦୀୟ କ୍ଷେତ୍ରରେ ଥିବା ସମସ୍ତ ସ୍କୁଲ କଲେଜକୁ ଜିଲା ଶିକ୍ଷା ଅଧିକାରୀ ଏ ବାବାଦରେ ଏକ ପତ୍ର ଲେଖିଛନ୍ତି । ସ୍କୁଲ/କଲେଜର ପ୍ରଧାନଶିକ୍ଷକ/ପ୍ରିନ୍ସପାଲଙ୍କ ଠାରୁ ଅନୁମତି ପ୍ରାପ୍ତ ନବମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । ପ୍ରତିଯୋଗୀମାନେ ନିଜ ସହିତ ଚିତ୍ରାଙ୍କନରେ ବ୍ୟବହାର ପାଇଁ ରଙ୍ଗ ଓ ତୂଳୀ ସାଥିରେ ଧରି ଆସିବେ । କମିଟି ତରଫରୁ ଡ୍ରଇଂ ସିଟ୍ ଯୋଗାଇ ଦିଆଯିବ । ବୈଠକରେ ଭାଜପା ଜିଲା ସଭାପତି ଉମାକାନ୍ତ ମହାପାତ୍ର, ଡ. ପ୍ରକାଶ ମହାପାତ୍ର, ଡ. କୁମାର ମିଶ୍ର, ଡ. ଲକ୍ଷ୍ମଣ ଚରଣ ବିଶ୍ୱାଳ, ଡ. କ୍ଷୀତିଶ୍ୱର ଦାସ, ଡ. ଗିରୀଶ ଚନ୍ଦ୍ର ଜେନା, ଶଶୀକାନ୍ତ ପରିଡ଼ା, ହରିଶଙ୍କର ପାଣିଗ୍ରାହୀ, କମଳଲୋଚନ ଦାସ, ଶ୍ରୀନିବାସ ପ୍ରଧାନ, ରାଜେଶ ମହାପାତ୍ର, ଚିତ୍ତ ରଞ୍ଜନ ପଣ୍ଡା, ସିପ୍ରା ମହାପାତ୍ର, ଅଜୟ ଦାସ, ଗଣେଶ ଚନ୍ଦ୍ର ସେଠୀ, ଅଜୟ ଦାସ, ଇଂ ତ୍ରିଭୁବନ ଦାସ, ବିଶ୍ୱନାଥ ନାୟକ, ପ୍ରତାପ ସିଂ, ପ୍ରଦୀପ କୁମାର ପଣ୍ଡା, ଗୋପିବଲ୍ଲଭ ରାଉତ ସମେତ ଅନେକ ବିଜ୍ଞ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ ।