ବାଲେଶ୍ୱରରେ ରାଜନୈତିକ ହିଂସା! ଲାଇଟ୍ ଲଗାଇବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
ବାଲେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଦାଣ୍ଡ ଚଳଚଞ୍ଚଳ । ଏହାରି ମଧ୍ୟରେ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳୁଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ପାଳ ପଞ୍ଚାୟତ ମହାନ୍ତିପଡ଼ା ଗ୍ରାମରେ ଘଟିଛି ରାଜନୈତିକ ହିଂସା । ଫଳରେ ଜଣକ ଘର ଭଙ୍ଗାରୁଜା ହୋଇଥିବା ସହ ଜଣେ ଗୁରୁତର ଆହତକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ ରେମୁଣା ବ୍ଲକରେ ଆସନ୍ତା ୨୪ ତାରିଖ ଶେଷ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ସ୍ଥାନୀୟ ଆଦିବାସୀ ସାହିରେ ଲାଇଟ୍ ଲଗାଇବାକୁ କେନ୍ଦ୍ର କରି ଉଭୟ ଭାଜପା ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଫଳରେ ଜଣେ ଯୁବକକୁ ଗୋଟିଏ ଗୋଷ୍ଠୀର ଯୁବକ ମାନେ ଅଟକାଇ ଘରକୁ ନେଇ ବାନ୍ଧି ପକାଇଥିଲେ । ଯାହାକୁ କେନ୍ଦ୍ର କରି ପରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏହି ଘଟଣାରେ ଗୁରୁତର ଯୁବକ ଲକ୍ଷ୍ମୀଧର ମହାନ୍ତିଙ୍କୁ ନିକଟସ୍ଥ ରେମୁଣା ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା ।େ ସଠାରେ ତାଙ୍କ ଅବସ୍ଥା ଗୁରୁତର ଦେଖି ଜିଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଏହି ଗୋଷ୍ଠୀ ସଂଘର୍ଷରେ ବିପକ୍ଷ ଗୋଷ୍ଠୀର ମଧ୍ୟ ଜଣେ ଯୁବକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଖବର ପାଇ ରେମୁଣା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ ଚଳାଇଛି ।