ରାଜନୈତିକ ଦଳଙ୍କୁ ପ୍ରତିଶ୍ରୁତି ଦେବାରୁ ନିବୃତ କରି ହେବନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ପକ୍ଷରୁ ଦିଆଯାଉଥିବା ପ୍ରତିଶ୍ରୁତି ଏବଂ ମାଗଣା ଉପହାର ପ୍ରସଙ୍ଗରେ ସୁପ୍ରିମକୋର୍ଟ ଟିପ୍ପଣୀ ରଖିଛନ୍ତି । ଏସବୁ କ୍ଷେତ୍ରରୁ ରାଜନୈତିକ ଦଳମାନଙ୍କୁ ନିବୃତ କରି ହେବ ନାହିଁ ବୋଲି ଏହି ପ୍ରସଙ୍ଗରେ ଶୁଣାଣି କରି ପ୍ରଧାନବିଚାରପତି ଏନ ଭି ରମଣା କହିଛନ୍ତି । ସେ କହିଛନ୍ତି, ସୁବିଧା ଯୋଗାଇ ଦେବା ସରକାରଙ୍କର କର୍ତବ୍ୟ । କିନ୍ତୁ ଏ ଦିଗରେ ସର୍ବସାଧାରଣଙ୍କ ଅର୍ଥର ଯେଭଳି ସୁବିନିଯୋଗ ହୁଏ ତାହାକୁ ଦେଖିବା ଜରୁରୀ । ଏ ପ୍ରସଙ୍ଗ ଅତ୍ୟନ୍ତ ଜଟିଳ । ଏହି ସବୁ ସମସ୍ୟାଗୁଡ଼ିକୁ ଅଦାଲତ ତର୍ଜମା କରି ପାରିବ କି ନାହିଁ ତାହା ମଧ୍ୟ ଏକ ପ୍ରସଙ୍ଗ ।
ସୂଚନା ଯେ, ନିର୍ବାଚନକାଳୀନ ମାଗଣା ସାମଗ୍ରୀ ପ୍ରଦାନ ମାମଲାରେ ମଙ୍ଗଳବାର ଡିଏମ୍କେ ଦଳ ପକ୍ଷରୁ ଏକ ପିଟିସନ ଦାଏର କରାଯାଇଥିଲା ।
ବ୍ୟାପକ ଏବଂ ବହୁମୁଖୀ ଉଦ୍ଦେଶ୍ୟ ଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ଜନକଲ୍ୟାଣ ଯୋଜନାଗୁଡ଼ିକୁ ମାଗଣା ଉପହାର ବୋଲି କୁହାଯାଇ ପାରିବ ନାହିଁ ବୋଲି ଉକ୍ତ ପିଟିସନ୍ରେ ଯୁକ୍ତି କରାଯାଇଥିଲା । ତେବେ ଏହି ପ୍ରସଙ୍ଗରେ ଶୁଣାଣି କରି କୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି । ଅନ୍ୟପକ୍ଷରେ ଏହି ମାମଲାକୁ ନେଇ କପିଲ ସିବଲ୍ ଏବଂ ବିକାଶ ସିଂହ ଦେଇଥିବା ପ୍ରସ୍ତାବ ଆସି ନଥିବାରୁ ଆସନ୍ତାକାଲି ଏହି ମାମଲାର ଶୁଣାଣି ହୋଇପାରିବ ନାହିଁ ବୋଲି ସଲିସିଟର ଜେନେରାଲ କହିଛନ୍ତି । ଡିଏମକେ ପକ୍ଷରୁ ଏହି ପିଟିସନ ଦାଏର କରିଥିବା ହଂସାରିଆ କହିଛନ୍ତି ଯେ, ଏହି ପ୍ରସ୍ତାବଗୁଡ଼ିକୁ ଅଦାଲତ ବିଚାରକୁ ନେଇ ଏକ କମିଟି ଗଠନ କରିବା ଉଚିତ । ଭାରତ ହେଉଛି ଏକ ଜନ ମଙ୍ଗଳକାରୀ ରାଷ୍ଟ୍ର ହୋଇଥିବାରୁ ଜନକଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ସେ କୋର୍ଟରେ କହିଥିଲେ ।