ପୌର ନିର୍ବାହୀ ଅଧିକାରୀଙ୍କୁ ଉପ-ନଗରପାଳଙ୍କ ମାଡ଼ ଘଟଣା : ପୋଲିସ ତଦନ୍ତ ଆରମ୍ଭ, ବାଡ଼ି ଜବତ
ଦେବଗଡ଼ : ଦେବଗଡ଼ ପୌର ପରିଷଦରେ ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ରଙ୍କୁ ଉପନଗରପାଳ ପ୍ରଜିତ କୁମାର ଭୋଜଙ୍କ ମାଡ଼ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି । ମଙ୍ଗଳବାର ପୂର୍ବାହ୍ନରେ ଦେବଗଡ଼ ଆଦର୍ଶ ଥାନାର ଅତିରିକ୍ତ ଆଇଆଇସି ସରୋଜ କୁମାର ସେଠୀ ପୌର କାର୍ଯ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ କର୍ମଚାରୀଙ୍କ ବୟାନ ରେକର୍ଡ କରିବା ସହ ମାଡ଼ ଘଟଣାରେ ବ୍ୟବହୃତ ଏକ ବାଡ଼ିକୁ ମଧ୍ୟ ଜବତ କରିଛନ୍ତି।ସେହିପରି ଆଜି ମଧ୍ୟ କେତେକ ଯୁବକ ପୌର କାର୍ଯ୍ୟାଳୟରେ ପାଟିତୁଣ୍ଡ କରିବାରୁ ସମସ୍ତ କର୍ମଚାରୀ ତାଲା ପକାଇ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ । ଏସପି ପ୍ରମୋଦ ରଥଙ୍କ ନିର୍ଦ୍ଦେଶରେ ପୌର କାର୍ଯ୍ୟାଳୟ ସମ୍ମୁଖରେ ପୁଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି ।
ଗତ ସୋମବାର ପୌର ଉପନଗରପାଳ ଶ୍ରୀ ଭୋଜ ଗତ ୨୬ ତାରିଖରେ ପୌର ପରିଷଦରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକର ଗ୍ରହଣ କରାଯାଇଥିବା ପ୍ରସ୍ତାବ ସମ୍ପର୍କିତ କାଗଜପତ୍ର ନିର୍ବାହୀ ଅଧିକାରୀଙ୍କୁ ମାଗିବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ଓ ପରେ ହାତାହାତି ଯାଏଁ ଯାଇଥିଲା । ଉଭୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୁଲିସ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଯେ, ୧୧ ୱାର୍ଡ ବିଶିଷ୍ଟ ଦେବଗଡ଼ ପୌର ପରିଷଦରେ ଜଣେ ବିଜେପି ସମର୍ଥିତ ସ୍ୱାଧୀନ ଓ ୬ ବିଜେପି କାଉନସିଲର ଏବଂ ୪ ବିଜେଡି କାଉନସିଲର ରହିଥିଲେ ମଧ୍ୟ ପୌରାଧ୍ୟକ୍ଷା ଆସନ ବିଜେଡି ହାତରେ ରହିଛି । ତେବେ ପୌର ନିର୍ବାଚନ ପରେ ନୂତନ କାଉନସିଲ ଗଠନ ପରଠାରୁ ବିଭିନ୍ନ ସମୟରେ ପୌର ପରିଷଦରେ ବିରୋଧୀ ବିଜେପି ପରିଷଦଙ୍କ ପକ୍ଷରୁ ଶାସକ ବିଜେଡି ବିରୁଦ୍ଧରେ ଧାରଣା ଦିଆଯାଉଥିବାବେଳେ ଏହାର ପ୍ରଭାବ ଉନ୍ନୟନ କାର୍ଯ୍ୟରେ ସିଧାସଳଖ ପଡୁଥିବା ଦେଖିବାକୁ ମିଳିଛି ।